ସ୍ୱାଭାବିକ ହେଲା ସମ୍ବଲପୁର କୋର୍ଟ; କାର୍ଯ୍ୟକୁ ଫେରିଲେ ଓକିଲ, ଉଠିଲା ୧୪୪ ଧାରା

add-all

ସମ୍ବଲପୁର:  ପ୍ରାୟ ୨୦ ଦିନ ପରେ ଚଳଚଞ୍ଚଳ ହୋଇଛି ସମ୍ବଲପୁର କୋର୍ଟ । ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ।  ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇନଜୀବୀ। କଚେରୀ ପରିସରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଥିବା ବେଳେ ଫୋର୍ସ ବି ପ୍ରତ୍ୟାହାର କରି ନିଆଯାଇଛି। ମାତ୍ର କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ କିଛି ପୁଲିସ୍‌ କର୍ମୀ ସମ୍ବଲପୁର କୋର୍ଟରେ ମୁତୟନ ହୋଇଛନ୍ତି। ଦୀର୍ଘ ଦିନ ହେଲା କୋର୍ଟକୁ ଯିବାକୁ ରାସ୍ତା ଅବରୋଧ କରୁଥିବା ବ୍ୟାରିକେଡ଼କୁ ହଟାଇ ଦିଆଯାଇଥିବା ବେଳେ ଓକିଲ, ମହକିଲ ଓ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଛି କଚେରୀ ରୋଡ୍‌ ।

ଗତକାଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ଵର ମିଶ୍ର ଜେଲ ଭିତରୁ ଥାଇ ଏହି ମର୍ମରେ ସଂଘର ସମ୍ପାଦକଙ୍କୁ ଏକ ଚିଠି ଲେଖିଥିଲେ। ଉକ୍ତ ଚିଠିରେ କୋର୍ଟ କାର୍ଯ୍ୟ ଆରମ୍ଭ କରିବାକୁ ସେ ଉଲ୍ଲେଖ କରିଥିଲେ। ଏହାପରେ ଆଜିଠୁ ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ। ଦୀର୍ଘ ଦିନ ପରେ ନୋଟରୀ ଖୋଲିଥିବା ବେଳେ ସାଧାରଣ ଲୋକେ ବି କୋର୍ଟ ଆଡ଼େ ମୁହାଁଇଛନ୍ତି।

ତେବେ, ଏ ନେଇ ଓକିଲ ସଂଘ ପୂର୍ବତନ ସଭାପତି ସବିର ଅହମ୍ମଦ ସୂଚନା କହିଛନ୍ତି ଯେ, ଓକିଲ ମାନେ କୋର୍ଟ କାର୍ଯ୍ୟ ରେ ଯୋଗ ଦେଇଥିବା ବେଳେ କୋର୍ଟ କାର୍ଯ୍ୟ ଖୁବ୍‌ଶୀଘ୍ର ସ୍ଵାଭାବିକ ହେବ।

ସୂଚନାଯୋଗ୍ୟ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଦୀର୍ଘ ଦିନ ହେଲା ଚାଲିଥିବା ବେଳେ ଗତ ୧୨ ତାରିଖରେ ଏହା ଭିନ୍ନମୋଡ଼ ନେଇଥିଲା। ଏଥିରେ ବିଭିନ୍ନ ସଂଗଠନ ଓ ସାଧାରଣ ଲୋକ ସାମିଲ ହେବା ପରେ  ଉକ୍ତ ଦିନ କଚେରି ଛକରେ ହିଂସା ଦେଖିବାକୁ ମିଳିଥିଲା। ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ପରିସରରେ ଓକିଲମାନେ ଧସେଇ ପଶି ଭଙ୍ଗାରୁଜା କରିଥିଲେ।

ଏହାକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ। ୫୪ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ  ପୁଲିସ୍ ୨୭ରୁ ଅଧିକ ଓକିଲଙ୍କୁ ଗିରଫ କରିଥିଲା। ସେବେଠୁ ସମ୍ବଲପୁର କୋର୍ଟ କାର୍ଯ୍ୟ ଠପ୍‌ ହୋଇ ପଡ଼ି ରହିଥିବା ବେଳେ ଖାଁ ଖାଁ ହୋଇ ପଡ଼ିଥିଲା କୋର୍ଟ ପରିସର । ଆଜିଠୁ ପୁଣି ଥରେ ଓକିଲମାନେ କୋର୍ଟମୁହାଁ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ପରିସ୍ଥିତି ସାମାନ୍ୟ ହେବ ବୋଲି ଆଶା କରାଯାଇଛି।

ad-week
Leave A Reply

Your email address will not be published.