ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ…

add-all

ଭୁ‌ବନେଶ୍ବର: ପ୍ରାୟ ଦେଢ଼ ମାସ ଧରି ଲୋୟର ପିଏମ୍‌ଜିରେ ଚାଲିଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଆନ୍ଦୋଳନ ସାମୟିକ ପାଇଁ ସ୍ଥଗିତ ହୋଇଛି। ସରକାରଙ୍କ ସହିତ ଆଲୋଚନା ପରେ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଫେବ୍ରୁଆରି ୨ୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆନ୍ଦୋଳନ ସ୍ଥଗିତ ନେଇ ଅଙ୍ଗନବାଡ଼ି କର୍ମୀ ସଂଘ ସଭାପତି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ୮ ଦଫା ଦାବି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅଙ୍ଗନବାଡ଼ି କର୍ମୀମାନେ ଆଜି ଆଲୋଚନା କରିଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କ ଦାବି ସଂପର୍କରେ ଆସନ୍ତା ଫେବ୍ରୁଆରି ୨ୟ ସପ୍ତାହରେ ଆଲୋଚନା ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି। ଆଶା କରାଯାଉଛି ଯେ ମୁଖ୍ୟ ସଚିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନେଇ ଆଲୋଚନା କରିବେ। ଏନେଇ ସେ ଅଙ୍ଗନବାଡ଼ି କର୍ମୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଫେବ୍ରୁଆରି ୨ୟ ସପ୍ତାହ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି ସଭାନେତ୍ରୀ କହିଛନ୍ତି। ତେବେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦରମା ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ନେଇ ଅଙ୍ଗନବାଡ଼ି କର୍ମୀମାନେ ଦୀର୍ଘ ଦେଢ଼ମାସ ହେବ ଭୁବନେଶ୍ବର ଲୋୟର ପିଏମ୍‌ଜି ସମେତ ରାଜ୍ୟର ଜିଲ୍ଲା ସଦର ମହକୁମା ଓ ବ୍ଲକ କାର୍ଯ୍ୟାଳୟରେ ୮ ଦଫା ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଶିଶୁମାନେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେବା ସହ ସେମାନଙ୍କ ପ୍ରାକ ବିଦ୍ୟାଳୟ ଶିକ୍ଷା ପ୍ରଭାବିତ ହୋଇଛି।

ad-week
Leave A Reply

Your email address will not be published.