ଡିଜିପି ଅଫିସ ଆଗରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ…

add-all

କଟକ: କଟକ ଡିଜି ଅଫିସ୍ ଆଗରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା। ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସରୋଜ ରଥଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣି ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ଜଣେ ଯୁବତୀ। ସାମ୍ବାଦିକ ତାଙ୍କର ଅଶ୍ଲୀଳ ଭିଡିଓ ଓ ଫଟୋ ଭାଇରାଲ କରିଦେବେ କହି ବ୍ଲାକମେଲ୍‌ କରୁଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ।  ଯୁବତୀଙ୍କ ଘର ରାଜକନିକା ଅଞ୍ଚଳରେ ବୋଲି ଜଣାଯାଇଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସରୋଜ ରଥ ଯୁବତୀଙ୍କ ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ୭ ବର୍ଷ ହେବ ସମ୍ପର୍କ ରଖିଥିଲେ। ପରେ ସରୋଜ ବିବାହିତ ବୋଲି ଯୁବତୀ ଜଣକ ଜାଣି ପାରିଥିଲେ। ଏହା ପରେ ଯୁବତୀ ଜଣକ ତାଙ୍କ ସହ ମିଳାମିଶା ବନ୍ଦ କରି ଦେଇଥିଲେ। ତା’ ପରେ ସରୋଜ ତାଙ୍କୁ  ବ୍ଲାକମେଲିଂ ଆରମ୍ଭ କରି ଦେଇଥିଲେ। ତାଙ୍କ ପାଖରେ ଥିବା ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓକୁ ଭାଇରାଲ କରିଦେବାକୁ ଧମକ କହିଥିଲେ। ଏନେଇ ଯୁବତୀ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ ଯୁବତୀଙ୍କ କେସକୁ ରେଜିଷ୍ଟର କରି ନଥିଲା। ଓଲଟା ତାଙ୍କୁ ଥାନାରେ ମାଡ଼ ମରାଯାଇଥିଲା।

ପଟ୍ଟାମୁଣ୍ଡାଇ ପୁଲିସ ପକ୍ଷରୁ ତାଙ୍କୁ କୌଣସି ସହାୟତା କରାଯାଇ ନଥିଲା ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏନେଇ  ଯୁବତୀ ଜଣକ ଡିଜିପିଙ୍କୁ ଭେଟି ଦରଖାସ୍ତ ଦେଇଥିଲେ। ହେଲେ ସେଠାରେ ବି ତାଙ୍କୁ ନ୍ୟାୟ ମିଳି ନ ଥିଲା। ଆଜି ଯୁବତୀ ଜଣକ ଡିଜିପି ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରେ ଥିବା  ପୁଲିସ ଅଧିକାରୀମାନେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ମୋ କଥା କେହି ଶୁଣୁନାହାନ୍ତି। ମୋତେ ଛାଡ଼ିଦିଅ, ମୁଁ ମରିଯିବାକୁ ଚାହେଁ ବୋଲି ଯୁବତୀ ଜଣକ  ପୁଲିସ ଅଧିକାରୀଙ୍କୁ ଉଦ୍ଧାର ବେଳେ କହୁଥିଲେ। ଏନେଇ ଡିଜିପି, ପଟ୍ଟାମୁଣ୍ଡାଇ ପୁଲିସ ଓ ସାମ୍ବାଦିକ ସରୋଜ ରଥଙ୍କର କୌଣସି ପ୍ରତିକ୍ରିୟା ମିଳି ନାହିଁ।

ad-week
Leave A Reply

Your email address will not be published.