ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା; ଆସିଲା ବ୍ୟବଚ୍ଛେଦ ରିପୋର୍ଟ

add-all

ପାରାଦୀପ: ପାରାଦୀପରେ ଲାଗିଥିବା ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଂଜିନିୟର ତଥା ଋଷୀୟ ନାଗରିକ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଆସିଛି ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ। ହୃଦଘାତ ଯୋଗୁ ହିଁ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଗତକାଲି ରାତିରେ ଏନେଇ ପାରାଦୀପ ପୁଲିସ୍‌କୁ ରିପୋର୍ଟ ହସ୍ତାନ୍ତର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିବା ବେଳେ ପୁଲିସ୍‌ ତରଫରୁ କୌଣସି ସୂଚନା ଦିଆଯାଇନି।

ଗତ ୩ ତାରିଖ ଭୋର ସମୟରେ ହୃଦଘାତ ଯୋଗୁଁ ଯନ୍ତ୍ରଣାରେ ଛଟପଟ ହୋଇ ମିଲ୍ୟାକୋଭ୍ ସର୍ଗେଇ ତଳେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ଫଳରେ ତାଙ୍କ ବାମ ପାର୍ଶ୍ୱ ଆଖି ପତା ପାଖରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା।

ଏବେ ପାରାଦୀପ ବନ୍ଦର ଡାକ୍ତରଖାନା ଶବାଗାରରେ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତଦେହକୁ ରଖାଯାଇଥିବା ବେଳେ ତାଙ୍କ ପରିବାର ସଦସ୍ୟ କେହି ପହଞ୍ଚି ନ ଥିବା ଜଣାଯାଇଛି।  ଏନେଇ ନୂଆଦିଲ୍ଲୀସ୍ଥିତି ଋଷିଆ ଦୂତାବାସ ପକ୍ଷରୁ କ୍ଲିୟରାନ୍ସ ମିଳିବା ପରେ ମୃତଦେହକୁ କାହ୍ନା ସିପିଂକୁ ହସ୍ତାନ୍ତର କରାଯିବ । କାହ୍ନା ସିପିଂ ତରଫରୁ ହିଁ ପାରାଦୀପ ଥାନାରେ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁ ନେଇ ଲିଖିତ ଅଭିଯୋଗ ହୋଇଥିଲା। କାହ୍ନା ସିପିଂ ତରଫରୁ ମିଲ୍ୟାକୋଭ୍ଙଙ୍କ ମୃତଦେହକୁ ଋଷ ନିଆଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ରାୟଗଡ଼ାରେ ୨ ଋଷୀୟ ପର୍ଯ୍ୟଟକ ଓ ପାରାଦୀପରେ ଜଣଙ୍କ ମୃତ୍ୟୁ ପରେ ଏହା ମଧ୍ୟରେ କୌଣସି ଲିଙ୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଉଭୟ ଘଟଣାର ପରସ୍ପର ସହ କୌଣସି ଲିଙ୍କ୍‌ ନ ଥିବା ଗତକାଲି ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚୀ ସ୍ପଷ୍ଟ କରିଥିଲେ। ତିନି ଜଣଙ୍କ ମୃତ୍ୟୁ ଘଟଣାର ଆଇନ ଅନୁସାରେ ତଦନ୍ତ କରାଯାଉଛି । ତିନି ଜଣଙ୍କ ମୃତ୍ୟୁରେ ସାମଞ୍ଜସ୍ୟ ଥିବା ବା ଲିଙ୍କ୍ ଥିବା ସେ ଗତକାଲି କହିଥିଲେ।

ad-week
Leave A Reply

Your email address will not be published.