ଜୟ ଗୁମ୍ଫା ପାହାଡ଼ ଉପରକୁ ଚଢିଗଲେ ୭୦ବର୍ଷିୟା ବୃଦ୍ଧା, ନାକେଦମ ହେଲା ଅଗ୍ନିଶମ ବିଭାଗ

add-all

ବ୍ରହ୍ମପୁର:  ହଠାତ୍‌ ଘରୁ ନିଖୋଜ ହୋଇଗଲେ ୭୦ ବର୍ଷୀୟା ବୃଦ୍ଧା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବୃଦ୍ଧାଜଣକ ଗାଁ ପାଖରେ ଥିବା ଏକ ସୁଉଚ୍ଚ ପାହାଡ଼ ଚଢ଼ି ଯାଇଥିବା ଜାଣିବାକୁ ପାଇଲେ। ବୃଦ୍ଧାଙ୍କୁ ସୁରକ୍ଷିତ ଭାବ ତଳକୁ ଆଣିବାକୁ ନାକେଦମ ହେଲା ଅଗ୍ନିଶମ ବିଭାଗ । ପ୍ରାୟ ୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁରେ ଗତକାଲି ଘଟିଛି। ପାହାଡ଼ ଚଢ଼ିଥିବା ବୃଦ୍ଧାଜଣକ ହେଲେ ୭୦ ବର୍ଷୀୟା ଚଞ୍ଚଳା ଦଳେଇ ।

ବଡ଼ଡୁମ୍ବୁଳା ଗାଁରେ ପରିବାର ସହ ରହୁଥିବା ଚଞ୍ଚଳା ଗତକାଲି ସନ୍ଧ୍ୟା ବେଳୁ ନିଖୋଜ ଥିଲେ। ଏହା ଜାଣି ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ। ମାତ୍ର  କୌଣସି ସନ୍ଧାନ ପାଇ ପାରି ନ ଥିଲେ। ବିଳମ୍ବିତ ରାତିରେ ଗାଁ ଲୋକେ ପାହାଡ଼ ନିକଟରେ ଥିବା ବିଲ ଜଗିବାକୁ ଯାଇଥିବା ବେଳେ ଚଞ୍ଚଳାଙ୍କ କାନ୍ଦିବା ସ୍ୱର ଶୁଣିବାକୁ ପାଇଥିଲେ। ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଗାଁର ୫ ଜଣ ଯୁବକ ଉପରକୁ ଯାଇଥିବା ବେଳେ ସେମାନେ ସେଠାରେ ଫସି ଯାଇଥିଲେ। ବୃଦ୍ଧାଙ୍କୁ ଧରି ତଳକୁ ଖସି ନ ପାରିବାରୁ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି  ପ୍ରାୟ ୧ କିମି ବାଟ ଚାଲିବା ପରେ ରାତି ୨ଟାରେ ପାହାଡ଼ ନିକଟରେ ଚଢ଼ିଥିଲେ। ପାହାଡ଼ଟି ପ୍ରାୟ ୨ ହଜାର ଫୁଟ ଉଚ୍ଚ ହୋଇଥିବା ବେଳେ ବୃଦ୍ଧାଜଣକ ପ୍ରାୟ ହଜାରେ ଫୁଟ ଯିବା ପରେ ଏକ କୋରଡ଼ରେ ରହିଯାଇଥିବା ଜଣାପଡ଼ିଥିଲା।   ପାହାଡ଼ଟି ଚଢ଼ି ଯାଇଥିବା ବେଳେ ତାହା ତିକ୍ଷ୍ଣ ଥିବାରୁ ବୃଦ୍ଧାଙ୍କୁ ଧରି ତଳକୁ ଖସିବା ସୁରକ୍ଷିତ ନ ଥିଲା। ତେଣୁ ବହୁ କଷ୍ଟରେ ଅଗ୍ନିଶମ କର୍ମଚାରୀମାନେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ତଳକୁ ଖସାଇଥିଲେ। ତାଙ୍କ ସହ ଗାଁର ୫ ଯୁବକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ତଳକୁ ଅଣାଯାଇଛି। ବୃଦ୍ଧାଜଣଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.