
ରୋହତକ: ଜଣେ କି ଦୁଇ ଦୁଇ ଜଣ ନୁହେଁ, ୧୦୦ରୁ ଅଧିକ ମହିଳାଙ୍କୁ ଚା’ ପିଆଇ ଦୁଷ୍କର୍ମ କରିଥିବା ଅରମପୁରି ଓରଫ ଜଲେବି ବାବାର ଖେଳ ଖତମ ହୋଇଛି। ଆତ୍ମଘୋଷିତ ବାବା ଜଲେବିକୁ ତା’ର କୁକର୍ମ ପାଇଁ ହରିଆଣାର ଫତେହାବାଦର ଗୋଟିଏ ଫାଷ୍ଟଟ୍ରାକ୍ କୋର୍ଟ ୧୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ବ୍ୟକ୍ତି ଜଣକ କେବଳ ମହିଳାଙ୍କୁ ଦୁଷ୍କର୍ମ କରୁ ନଥିଲା, ବରଂ ସେମାନଙ୍କର ଅଶ୍ଳୀଳ ଭିଡିଓ ମଧ୍ୟ ଶୁଟିଂ କରୁଥିଲା।
ସାହାଯ୍ୟ ପାଇଁ ଆସୁଥିବା ମହିଳାମାନଙ୍କୁ ଜଲେବି ବାବା ନିଜ ଜାଲରେ ଫସାଉଥିଲା। ପ୍ରଥମେ ସେମାନଙ୍କୁ ଚା’ରେ ନିଶା ମିଶାଇ ପିଇବାକୁ ଦେଉଥିଲା ଓ ଏହାପରେ ସେମାନଙ୍କୁ ଦୁଷ୍କର୍ମ କରି ଭିଡିଓ ଶୁଟିଂ କରୁଥିଲା। ଏହି ଭିଡିଓକୁ ସାର୍ବଜନୀନ କରିଦେବାର ଧମକ ଦେଇ ମହିଳାମାନଙ୍କ ଠାରୁ ଟଙ୍କା ମଧ୍ୟ ଆଦାୟ କରୁଥିଲା।
ଆଡିସନାଲ ଜିଲ୍ଲା ଜଜ ବଲୱନ୍ତ ସିଂହ ୬୩ ବର୍ଷୀୟ ଜଲେବି ବାବାକୁ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ୧୪ ବର୍ଷ, ଆଇପିସିର ୩୭୬-ସି ଅନୁଯାୟୀ ଆଉ ୨ଟି ଦୁଷ୍କର୍ମ ମାମଲାରେ ୭ ବର୍ଷ ଲେଖାଏ ଓ ଆଇଟି ଆକ୍ଟର ସେକସନ ୬୭-ଏ ଅଧୀନରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ତେବେ ତାକୁ ଆର୍ମସ ଆକ୍ଟ ମାମଲାରେ ଦୋଷମୁକ୍ତ କରାଯାଇଛି। ତାକୁ ମିଳିଥିବା ସବୁ ଜେଲଦଣ୍ଡ ଗୋଟିଏ ସମୟରେ ଚାଲିବ। ଅର୍ଥାତ ସେ ମୋଟ ୧୪ ବର୍ଷ ଜେଲରେ ରହିବ। ବିଚାରପତି ତାକୁ ଜେଲଦଣ୍ଡ ଦେବା ପରେ ଜଲେବି ବାବା କୋର୍ଟ ରୁମରେ କାନ୍ଦି ପକାଇଥିଲେ।
ତା’ ଜାଲରେ ଫସିଥିବା ୧୦୦ରୁ ଅଧିକ ମହିଳାଙ୍କ ମଧ୍ୟରୁ ୬ ଜଣ ପୀଡ଼ିତା କୋର୍ଠରେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ବୟାନ ଆଧାରରେ କୋର୍ଟ ଜଲେବି ବାବାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
୨୦୧୮ରେ ହରିଆଣା ପୁଲିସ୍ ଅମରପୁରି ଓରଫ ଜଲେବି ବାବକୁ ଫତେହାବାଦରୁ ଗିରଫ କରିଥିଲା। ତା’ ପାଖରେ ଥିବା ମୋବାଇଲରୁ ଏହି ସମୟରେ ମିଳିଥିଲା ୧୨୦ଟି ସେକ୍ସ ଭିଡିଓ। ହରିଆଣାର ତୋହନାରେ ଥିବା ବାବା ବାଲକ ନାଥ ମନ୍ଦିରର ମୁଖ୍ୟ ସନ୍ଥ ଭାବେ ଜଲେବି ବାବା ବେଶ ପରିଚିତ।
ସେ ଜଣେ ତାନ୍ତ୍ରିକ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ତନ୍ତ୍ର ବିଦ୍ୟାର ସାନିଧ୍ୟ ଲାଭ କରିବା ଓ ନିଜ ସମସ୍ୟାର ସମାଧାନ ଆଶାରେ ଅନେକ ମହିଳା ଜଲେବି ବାବ ପାଖକୁ ଆସନ୍ତି। ଏହାର ଫାଇଦା ଉଠାଇ ପ୍ରଥମେ ସେ ମହିଳାମାନଙ୍କୁ ବିଭିନ୍ନ ପ୍ରକାରର ଉପାୟ କହୁଥିଲା। ଏହାପରେ ମହିଳାମାନଙ୍କୁ ଚା’ ଓ ଅନ୍ୟ ପାନୀୟରେ ନିଶା ମିଶାଇ ସେବନ କରିବାକୁ ଦିଏ।
ମହିଳାମାନେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଜଲେବି ବାବା ସେମାନଙ୍କୁ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ଶୁଟିଂ କରେ। ଏପରି ଭାବେ ସେ ୧୦୦ରୁ ଅଧିକ ମହିଳାଙ୍କୁ ନିଜ ଜାଲରେ ଫସାଇଥିଲା। ଭିଡିଓ ଦେଖାଇ ସେମାନଙ୍କ ଠାରୁ ଟଙ୍କା ଓ ଅନ୍ୟାନ୍ୟ ଫାଇଦା ହାସଲ କରୁଥିଲା।
ପୂରା ଘଟଣା ୨୦୧୮ ମସିହା ଜୁଲାଇ ୧୯ରେ ସାମ୍ନାକୁ ଆସିଥିଲା। ପୁଲିସ୍ର ଜଣେ ଇନଫର୍ମର ଜଲେବି ବାବାର ଗୋଟିଏ ସେକ୍ସ ଭିଡିଓ ତୋହାନା ପୁଲିସ୍ ଷ୍ଟେସନ ହାଉସ ଅଫିସର ପ୍ରଦୀପ କୁମାରଙ୍କ ମୋବାଇଲକୁ ପଠାଇଥିଲା। ଏହାପରେ ପ୍ରଦୀପ କୁମାରଙ୍କ ଅଭିଯୋଗ ପରେ ଆତ୍ମଘୋଷିତ ବାବା ଅମରପୁରି ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା।