ଦବୁଛି ଯୋଶୀମଠ : ସପ୍ତାହକ ମଧ୍ୟରେ ଭଙ୍ଗାଯିବ ହୋଟେଲ ଓ ଘର, ମିଳିବ ୧.୫ ଲକ୍ଷ…

add-all

ଯୋଶୀମଠ: ଦବିବାକୁ ଯାଉଥିବା ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଥିବା ବିପଦସଙ୍କୁଳ ହୋଟେଲ ଓ ଘରଗୁଡ଼ିକ ସପ୍ତାହକ ମଧ୍ୟରେ ଭଙ୍ଗାଯିବ। ସେହିପରି ସହର ଦବିବାକୁ ଯୋଗୁ ପ୍ରଭାବିତ ହୋଇଥିବା ପ୍ରତ୍ୟେକ ପରିବାରକୁ ସରକାରଙ୍କ ପକ୍ଷରୁ ତତ୍କାଳ ଭାବେ ୧.୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ।
ବରିଷ୍ଠ ଅଧିକାରୀ ହିମାଂଶୁ ଖୁରାନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଯୋଶୀମଠରେ ଥିବା ଦୁଇଟି ହୋଟେଲ ଓ ଆଉ କିଛି ଘରକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ବିନା ନୋଟିସ ଓ କ୍ଷତିପୂରଣ ଘୋଷଣା ନ କରି ସରକାର ଉଚ୍ଛେଦ କରିବାକୁ ଯାଉଥିବାରୁ ଏହାକୁ ସ୍ଥାନୀୟ ଲୋକ ଗତକାଲି ଠାରୁ ବିରୋଧ କରୁଛନ୍ତି। ବିରୋଧ ବଢ଼ୁଥିବାରୁ ଆଜି ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଲୋକ ଓ ଭଙ୍ଗା ଯିବାକୁ ଥିବା ୨ ହୋଟେଲର ମାଲିକଙ୍କୁ ଭେଟିଥିଲେ। ସେମାନଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ଖୁରାନା ଏପରି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆମେ ହୋଟେଲକୁ ମାଟିରୁ ମିଶାଇବୁ ନାହିଁ। ଆମେ କେବଳ କିଛି ଅଂଶକୁ ଭାଙ୍ଗିବୁ। ହୋଟେଲ ମାଲିକଙ୍କ ସହ ଆମର ସକାରାତ୍ମକ ଆଲୋଚନା ହୋଇଛି। ତେଣୁ ସବୁ କିଛି ଗୋଟିଏ ସପ୍ତାହ ମଧ୍ୟରେ ଶେଷ ହେବ। ଆମେ ସ୍ଥିତିର ସମୀକ୍ଷା କରୁଛୁ। ସିବିଆରଆଇର ସୁପରଭିଜନରେ ହୋଟେଲ ଓ ଘର ଭଙ୍ଗା କାମ ହେବ। କେବଳ ବିପଦସଙ୍କୁଳ ଅବସ୍ଥାରେ ଥିବା ଘରଗୁଡ଼ିକୁ ଭାଙ୍ଗିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।
ଯୋଶୀମଠ ଦବିବା ଯୋଗୁ ଏଯାଏ ୭୨୩ଟି ଘରେ ଫାଟ ସୃଷ୍ଟି ହୋଇଛି। ଏଥିପାଇଁ ୧୩୧ଟି ପରିବାରର ଲୋକଙ୍କୁ ଅସ୍ଥାୟୀ ଭାବେ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ଲୋକଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ୩୪୪ଟି ରିଲିଫ କ୍ୟାମ୍ପ ଓ ୪୯୧ଟି ରୁମ ତିଆରି କରାଯାଇଛି।
ବର୍ତ୍ତମାନ ସୁଦ୍ଧା ୮୬ଟି ଘରକୁ ବିପଦସଙ୍କୁଳ ଘୋଷଣା କରାଯାଇଛି। ଏହି ସବୁ ଘରେ କ୍ରସ୍‌ ଚିହ୍ନ ପ୍ରଶାସନ ପକ୍ଷରୁ ଲଗାଯାଇଛି। କ୍ଷତିଗ୍ରସ୍ତ ଲୋକଙ୍କୁ ଦୈନିନ୍ଦିନ ଜିନିଷ କିଣିବାରକୁ ୫ ହଜାର ଟଙ୍କା ଲେଖାଏ ପ୍ରଶାସନ ଦେଇଛି।
ସେହିପରି ଫାଟି ଯାଇଥିବା ୧୦ଟି ଘରର ମାଲିକଙ୍କୁ ବିଲଡିଂ ଫିଛା ୧.୩୦ ଲକ୍ଷ ଟଙ୍କା ଲେଖାଏ ମିଳିଛି। ପ୍ରଶାସନ ପକ୍ଷରୁ ଖାଦ୍ୟ, କ୍ଷୀର ଓ କମ୍ବଳ ମଧ୍ୟ ଯୋଗାଇ ଦିଆଯାଇଛି।

ad-week
Leave A Reply

Your email address will not be published.