ମାଗଣା ଚାଉଳ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ୍…

add-all

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ନେବା ବେଳେ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ୍। ହିତାଧିକାରୀଙ୍କୁ ରସିଦ ଦେବାକୁ କେନ୍ଦ୍ର ସରକାର ସବୁ ରାଜ୍ୟମାନଙ୍କୁ ଚିଠ ଲେଖି ଅବଗତ କରାଇଛନ୍ତି । ଯଦି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ହିତାଧିକାରୀଙ୍କୁ କୌଣସି ଅତିରିକ୍ତ ଚାଉଳ ଦେଉଥିବେ, ତେବେ ଏହାର ଏକ ଅଲଗା ରସିଦ ପ୍ରସ୍ତୁତ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଯଦି କେନ୍ଦ୍ର ପକ୍ଷରୁ ଚାଉଳ ଦିଆଯାଉଛି, ତା’ହେଲେ ହିତାଧିକାରୀଙ୍କୁ ଦି‌ଆଯିବାକୁ ଥିବା ରସିଦରେ ସ୍ପଷ୍ଟ ଭାବେ ଏହା କେନ୍ଦ୍ର ସରକାରଙ୍କ ମାଗଣା ସ୍କିମ ବୋଲି ଉଲ୍ଲେଖ ରହିବ। ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବ୍‌ସିଡି ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବେ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ରସିଦ ବଣ୍ଟନର ଗୋଟିଏ ଫର୍ମାଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକ ନିକଟକୁ ପଠାଇ ଦିଆଯିବ। ଏହାବାଦ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବାୟୋମେଟ୍ରିକ ବ୍ୟବସ୍ଥା କରିବାକୁ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ଚାଉଳ ଦିଆଯାଉଥିବା କଥା ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ ଡିଲର ଓ ଫିଲ୍ଡ ଅଫିସରମାନଙ୍କୁ ବି କୁହାଯାଇଛି। ଏହାଦ୍ୱାରା ହିତାଧିକାରୀମାନେ ସରକାରଙ୍କ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ ବିଷୟରେ ଅଧିକ ସଚେତନ ହୋଇପାରିବେ ଓ ଲାଭ ଉଠାଇ ପାରିବେ ବୋଲି ଚିଠିରେ ପରାମର୍ଶ ଦିଆଯାଇଛି।

କିନ୍ତୁ ରସିଦ କେଉଁଠୁ ଆସିବ ଓ କେମିତି ହିତାଧିକାରୀ ଚାଉଳ ନେବା ବେଳେ ପାଇବେ, ସେକଥା ଚିଠିରେ ସ୍ପଷ୍ଟ ଭାବେ କୁହାଯାଇନି। ସମ୍ଭବତଃ ଡିଲରଙ୍କ ପାଖରେ ରାଜ୍ୟ କିମ୍ବା କେନ୍ଦ୍ରର ସ୍ୱତନ୍ତ୍ର ଚାଉଳ ରସିଦ ରହିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଏହି ମାଗଣା ଚାଉଳ ଓ ରସିଦକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକୁ ହାଇଜ୍ୟାକ କରି ବିଜେଡି ନିଜ ନାଁ ନାମିତ କରୁଛି। ଏବେ ସେମାନେ ଏହା କରିପାରିବେ ନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଦେବା ବେଳେ ହିତାଧିକାରୀଙ୍କୁ ଏକ ସ୍ୱତନ୍ତ୍ର ରସିଦ୍ ଦେବାକୁ ପଡ଼ିବ।

ଏହାର ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି,  କେନ୍ଦ୍ର ସରକାର ଯେକୌଣସି ନିଷ୍ପତ୍ତି ନେଉଛନ୍ତି , ସେଥିରେ ରାଜ୍ୟରେ ଭୂମିକା ରହିବା ଦରକାର। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ। ମାଗଣା ଚାଉଳ ବଣ୍ଟନ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବ।

ad-week
Leave A Reply

Your email address will not be published.