ଆଜି ମହାପ୍ରଭୁଙ୍କ ମକର ନୀତି…

add-all

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି। ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ।  ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଅଧିବାସରେ ରଖାଯାଇଥିବା ଭୋଗକୁ ଭୋଗମଣ୍ଡପରୁ ନେଇ ଘଣ୍ଟଘଣ୍ଟା, ମୃଦଙ୍ଗ ବାଜାର ତାଳେ ତାଳେ ମନ୍ଦିର ବେଢା ପରିକ୍ରମା କରାଯିବ। ଏହାପରେ ରୋଷଶାଳରୁ ମହାଭୋଇ ମାନେ ଦହି ଆଣିବେ। ଗୁଡିଆମାନେ ଫେଣା, ଶାକର ଆଣି ମକର ଭୋଗ ପ୍ରସ୍ତୁତ କରିବେ। ଏହାସହିତ ମହାବାହୁଙ୍କ ଶ୍ରୀଚରଣରେ ବିଶ୍ୱର ସର୍ବବୃହତ ନଳୀ ପାନ ଅର୍ପଣ କରାଯିବାର ବିଧି ରହିଛି।

ସେହିପରି ମକରକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍ସବ ମୁଖର ପରିବେଶ। ମକରକୁ ଗଣପର୍ବ ଭାବେ ପାଳନ କରିଥାନ୍ତି ମୟୂରଭଂଜ ଜିଲ୍ଲାର ଲୋକେ। ଏଥିପାଇଁ ଘରେ ଘରେ ପିଠାପଣାର ଆସର। ଏବର୍ଷ କରୋନା କଟକଣା ନଥିବାରୁ ଗାଁ ଗାଁରେ ହୋଇଛି ବିରାଟ ଆୟୋଜନ।  ପିଠା ପଣା ଖାଇ ମାଦଳ ବାଜାର ତାଳେ ତାଳେ ନୃତ୍ୟ କରିବାକୁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ସେହିପରି କୁକୁଡ଼ା ଲଢେଇ ଓ ଲାଖ ବିନ୍ଧା ପ୍ରତିଯୋଗିତାରେ ଭାଗ ନେବାକୁ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଛି।

ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ଅଟ୍ରିର ହଟ୍ଟକେଶରଙ୍କ ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ ହୋଇଛି। ବିଶ୍ୱାସ ରହିଛି, ନିଃସନ୍ତାନ ମହିଳାମାନେ ମାନସିକ ରଖି ଏଠାରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ଖାଇଲେ ସେମାନଙ୍କର ସନ୍ତାନ ପ୍ରାପ୍ତି ହୋଇଥାଏ। ତେଣୁ ରାଜ୍ୟ ବାହାରୁ ମଧ୍ୟ ବହୁ ମହିଳା ଏଠାକୁ ଆସିଥାନ୍ତି।

ad-week
Leave A Reply

Your email address will not be published.