‘ମିସ୍‌ ୟୁନିଭର୍ସ ୨୦୨୨’ ବିଜୟିନୀ ହେଲେ ଆମେରିକାର ଆର୍‌’ବନି ଗେବ୍ରିଏଲ୍…

add-all

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଆର୍‌’ବନି ଗେବ୍ରିଏଲ୍ ଆଜି ସକାଳେ ‘ମିସ୍‌ ୟୁନିଭର୍ସ ୨୦୨୨’ ମୁକୁଟ ବିଜୟିନୀ ହୋଇଛନ୍ତି।
ଆମେରିକାର ନିୟୁ ଅର୍ଲିନ୍‌ସ୍‌ସ୍ଥିତ ‘ଆର୍ଣ୍ଣେଷ୍ଟ୍‌ ଏନ୍‌. ମୋରିଆଲ୍‌ କନ୍‌ଭେନ୍‌ସନ୍‌ ହଲ୍‌’ରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାର ୭୧ତମ ସଂସ୍କରଣରେ ଭେନିଜୁଏଲାର ଆମାଣ୍ଡା ଡୁଡାମେଲ୍‌ ପ୍ରଥମ ଓ ଡୋମିନିକା ରିପବ୍ଳିକ୍‌ର ଆଣ୍ଡେରିନା ମାର୍ଟିନେଜ୍‌ ଦ୍ବିତୀୟ ରନର୍‌ ଅପ୍‌ ହୋଇଛନ୍ତି। ଏହି ପ୍ରତିଯୋଗିତାର ୧୬ଶ ସ୍ଥାନରେ ଥିବା ଭାରତୀୟ ପ୍ରତିଦ୍ବନ୍ଦ୍ବୀ ଦ୍ବିବିତା ରାୟ ବାଦ ପଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରଥମ ଥର ପାଇଁ ଜଣେ ଫିଲିପ୍ପାଇନୀୟ-ଆମେରିକୀୟ ‘ମିସ୍‌ ୟୁନିଭର୍ସ’ ମୁକୁଟ ବିଜୟିନୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି।
୧୯୯୪ ମାର୍ଚ ୨୦ ତାରିଖରେ ଟେକ୍ସାସ୍‌ର ସାନ୍‌ ଆଣ୍ଟୋନିଓରେ ଆର୍‌’ବନି ଗେବ୍ରିଏଲ୍‌ଙ୍କ ଜନ୍ମ। ତାଙ୍କର ପିତାଙ୍କ ନାଁ ରିମିଜିଓ ବନ୍‌ଜୋନ୍‌। ଦକ୍ଷିଣ କାଲଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ମନୋବିଜ୍ଞାନରେ ଡିଗ୍ରି ହାସଲ କରିବା ଲାଗି ୨୫ ବର୍ଷ ବୟସରେ ବନ୍‌ଜୋନ୍‌ ଫିଲିପ୍ପାଇନ୍‌ସ୍‌ରୁ ଆମେରିକା ଚାଲିଆସିଥିଲେ। ଆର୍‌’ବନି ଗେବ୍ରିଏଲ୍‌ଙ୍କ ମାଆ ହେଉଛନ୍ତି ଡାନା ୱାକର୍‌ ନାମ୍ନୀ ଜଣେ ଆମେରିକୀୟ।
ଆର୍‌’ବନି ଗେବ୍ରିଏଲ୍‌ ଜୀବନ ପ୍ରତି ଆବେଗ ଥିବା ଜଣେ ‘‌ଇକୋ-ଫ୍ରେଣ୍ଡ୍‌ଲି’ ଫେସନ୍‌ ଡିଜାଇନର୍‌, ମଡେଲ୍‌ ଏବଂ ସିଲେଇ ଶିକ୍ଷୟିତ୍ରୀ ବୋଲି ‘ମିସ୍‌ ୟୁନିଭର୍ସ’ର ଅଫିସିୟାଲ୍‌ ୱେବ୍‌ସାଇଟ୍‌ରେ ଉଲ୍ଲେଖ ଅଛି।
ହାଇସ୍କୁଲ୍‌ସ୍ତରୀୟ ଭଲିବଲ୍‌ ଖେଳାଳି ଥିବା ଆର୍‌’ବନି ଗେବ୍ରିଏଲ୍‌ ଫେସନ୍‌ ପ୍ରତି ଆଗ୍ରହ ଦେଖାଇ ୧୫ ବର୍ଷ ବୟସରେ ପୋଷାକପତ୍ର ଡିଜାଇନ୍‌ କରିବା କାମରେ ଲାଗିପଡ଼ିଥିଲେ। ୨୦୧୮ରେ ସେ ‘ମାଇନର୍‌ ଇନ୍‌ ଫାଇବର୍ସ’ ସହିତ ଉତ୍ତର ଟେକ୍ସାସ୍‌ ବିଶ୍ବବିଦ୍ୟାଳୟରୁ ଫେସନ୍‌ ଡିଜାଇନ୍‌ରେ ସ୍ନାତକ ହାସଲ କରିଥିଲେ। ସମ୍ପ୍ରତି ସେ ନିଜସ୍ବ ପୋଷାକ ବ୍ୟବସାୟ ପ୍ରତିଷ୍ଠାନ ‘ଆର୍‌’ବନି ନୋଲା’ର ‘ସିଇଓ’ ଅଛନ୍ତି।

ad-week
Leave A Reply

Your email address will not be published.