ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସେନା ଦିବସ ପରେଡ୍‌; ପ୍ରଧାନମନ୍ତ୍ରୀ କହିଲେ, ଯବାନମାନେ ଦେଶକୁ ସୁରକ୍ଷିତ ରଖିଛନ୍ତି

add-all

ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ‘ସେନା ଦିବସ ପରେଡ୍‌’ ଆଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍‌ ଗ୍ରାଉଣ୍ଡ୍‌ରେ ପାଳନ କରାଯାଉଛି।
୧୯୪୯ରେ ସେନା ଦିବସ ପରେଡ୍‌ ଆରମ୍ଭ ହେବାଠାରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ପରମ୍ପରା ଭଙ୍ଗ କରି ଏହି ପରେଡ୍‌କୁ ଦିଲ୍ଲୀ ବାହାରକୁ ନିଆଯାଇଛି। ଏହି ପରେଡ୍‌ରେ ‘ବାଇକ୍‌ ଷ୍ଟଣ୍ଟ୍‌’, ‘ସ୍କାଏଡାଇଭିଙ୍ଗ୍‌’ ଏବଂ ‘ବ୍ୟାଣ୍ଡ୍‌ ଡିସ୍‌ପ୍ଲେ’ ଭଳି ଚିତ୍ତାକର୍ଷକ ପ୍ରଦର୍ଶନ ମଧ୍ୟ କରାଯିବ। ଏହାଛଡ଼ା, ଏହି କାର୍ଯ୍ୟକ୍ରମରେ ଗୋଟିଏ ଅଶ୍ବାରୋହୀ ‘କଣ୍ଟିଜେଣ୍ଟ୍‌’ ସମେତ ୮ଟି ‘ମାଚିଙ୍ଗ୍‌ କଣ୍ଟିଜେଣ୍ଟ୍‌’ ଭାଗ ନେବେ।
ଏହି ଅବସରରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେନା ଦିବସରେ ମୁଁ ସମସ୍ତ ସେନା କର୍ମଚାରୀ, ଅବସର ଗ୍ରହଣ କରିଥିବା ସେନାକର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି। ପ୍ରତ୍ୟେକ ଭାରତୀୟ ଆମ ସେନା ପାଇଁ ଗର୍ବିତ ଏବଂ ସୋମନେ ଆମ ଯବାନମାନଙ୍କ ପ୍ରତି ସବୁବେଳେ କୃତଜ୍ଞ ରହିବେ। ଯବାନମାନେ ସଦାସର୍ବଦା ଆମ ଦେଶକୁ ସୁରକ୍ଷିତ ରଖିଛନ୍ତି ଏବଂ ସଙ୍କଟ ସମୟରେ ସେବା ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
ଏହି ପରେଡ୍‌ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ରୂପେ ଯୋଗ ଦେଉଛନ୍ତି। ସେହିପରି, ‘ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଜେନେରାଲ୍‌ ମନୋଜ ପାଣ୍ଡେ ଏବଂ ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ଜେନେରାଲ୍‌ ଅନୀଲ ଚୌହାନ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଅଛନ୍ତି।
ସୂଚନା‌ଯୋଗ୍ୟ, ୧୯୪୯ରେ ଭାରତୀୟ ସେନାର ଶେଷ ବ୍ରିଟିସ୍‌ କମାଣ୍ଡର୍‌-ଇନ୍‌-ଚିଫ୍‌ ଜେନେରାଲ୍‌ ସାର୍‌ ଫ୍ରାନ୍‌ସିସ୍‌ ରବର୍ଟ ରୟ ବଚର୍‌ଙ୍କଠାରୁ ଭାରତର ଜେନେରାଲ୍‌ କେ. ଏମ୍. କାରିଆପ୍ପା ଦାୟିତ୍ବ ଗ୍ରହଣ କରିବା ଘଟଣାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜାନୁଆରି ୧୫ରେ ‘ସେନା ଦିବସ’ ପାଳନ କରାଯାଏ। ପରେ ‘ଫିଲ୍‌ଡ୍‌ ମାର୍ସଲ’ ହୋଇଥିବା ଜେନେରାଲ୍‌ କେ. ଏମ୍. କାରିଆପ୍ପା ହେଉଛନ୍ତି ଭାରତର ପ୍ରଥମ ସେନାମୁଖ୍ୟ।

ad-week
Leave A Reply

Your email address will not be published.