
ରାଉରକେଲା: ପୁରୁଷ ହକି ବିଶ୍ବକପ-୨୦୨୩ରେ ସ୍ପେନ ପ୍ରଥମ ଥର ପାଇଁ ବିଜୟର ସ୍ବାଦ ଚାଖିଛି । ଅପରପକ୍ଷେ ୱେଲ୍ସ ପ୍ରଥମ ମ୍ୟାଚ୍ ଭଳି ନିଜର ଦ୍ବିତୀୟ ମ୍ୟାଚରେ ମଧ୍ୟ ପରାଜୟର ଶିକାର ହୋଇଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମ୍ୟାଚରେ ସ୍ପେନ୍ ୫-୧ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି।
ଚଳିତ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ୍ର ପ୍ରଥମ କ୍ବାର୍ଟରରେ ଉଭୟ ସ୍ପେନ୍ ଓ ୱେଲ୍ସ ମଧ୍ୟରେ କଡ଼ାମୁକାବିଲା ହୋଇଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ସ୍ପେନ କ୍ରମାଗତ ଭାବେ ୨ଟି ଗୋଲ ଦେଇଥିଲା। ଟିମ୍ର ଖେଳାଳି ରେନେ ମାର୍କ ୧୬ ମିନିଟରେ ଓ ୨୨ ମିନିଟରେ ଇଗଲେସିଆସ ଆଲଭାରୋ ଫିଲ୍ଡ ଗୋଲ୍ଡ ଦେଇଥିଲେ। ସେହିପରି ୩ୟ କ୍ବାର୍ଟରର ୩୨ ମିନିଟରେ ମିରାଲେସ ମାର୍କ ଏକ ପୋନାଲ୍ଟି ଗୋଲ ଓ ୩୮ ମିନିଟରେ ରେନେ ମାର୍କ ଫିଲ୍ଡ ଗୋଲ ଦେଇ ଦଳକୁ ୪-୦ ଗୋଲ୍ରେ ଅଗ୍ରଣୀ କରାଇଥିଲେ। ସ୍ପେନ ପକ୍ଷରୁ ୫୬ ମିନିଟରେ ମିରାଲେସ ମାର୍କ ଏକ ଫିଲ୍ଡ ଗୋଲ ଦେଇଥିଲେ। ୱେଲ୍ସ ପକ୍ଷରୁ କାରସନ୍ ଜେମ୍ସ ୫୨ ମିନିଟରେ ଏକ ଗୋଲ ଦେଇ ନିଜ ଟିମ୍ର ସମ୍ମାନ ରଖିଥିଲେ।
ଏହା ପୂର୍ବରୁ ଗତ ୧୩ ତାରିଖରେ ଭାରତ ୨-୦ ଗୋଲ୍ରେ ସ୍ପେନକୁ ହରାଇଥିଲା। ସେହିପରି ସେହିଦିନ ଇଂଲଣ୍ଡ ହାତରୁ ୱେଲ୍ସ ୫-୦ ଗୋଲ୍ରେ ପରାସ୍ତ ହୋଇଥିଲା। ଆସନ୍ତା ୧୯ ତାରିଖରେ ସ୍ପେନକୁ ଇଂଲଣ୍ଡ ଏବଂ ଭାରତକୁ ୱେଲ୍ସ ଭେଟିବ। ଏହି ମ୍ୟାଚ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।