ଗୁଡ଼ି ଉଡ଼ାଉ ଉଡ଼ାଉ ମୁକୁଳା ଡ୍ରେନରେ ଖସି ପଡ଼ି ନାବାଳକଙ୍କ ମୃତ୍ୟୁ…

add-all

କଟକ:  ନିଜ ହାତରେ ଗୁଡ଼ି ତିଆରି କରିଥିଲା। ଆଉ ତାକୁ ଉଡ଼ାଇବାକୁ ଘରୁ ଲୁଚି ପଳାଇ ଆସିଥିଲା। ହେଲେ ପିଲାଟିର ଖୁସି ସହିଲାନି ଦଇବ । ଗୁଡ଼ି ଉଡ଼ାଉ ଉଡ଼ାଉ ମୁକୁଳା ଡ୍ରେନରେ ପଡ଼ି ଆଖି ବୁଜିଲା ୯ ବର୍ଷର  ଶିଶୁ । ପରିବାର ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳକୁ ଡାକ୍ତର ମୃତ ଘୋଷଣା କଲେ। ଏପରି ହୃଦୟ ବିଦାୟକ ଘଟଣା ଗତକାଲି ସିଲିଭର ସିଟି କଟକରେ ଘଟିଥିବା ବେଳେ ଚେତୁନି ସିଏମ୍‌ସି ।

ଗତକାଲି ଅପରାହ୍ନରେ ବିଡାନାସୀ ବନ୍ଧ ଛକ ଅଞ୍ଚଳର ଜଣେ ୯ ବର୍ଷୀୟ ବାଳକ ଗୁଡି ଉଡାଉଥିଲା।  ହେଲେ ଡ୍ରେନଟି ମୁକୁଳା ଥିବା ଜାଣି ନ ପରି ପିଲାଟି ଡ୍ରେନରେ ପଡ଼ି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରି ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ।

ଏନେଇ ପିଲାଟିର ମା’ କହିଛନ୍ତି, କାଲି ଖାଇ ସାରି ମୋ’ ପୁଅ ଗୁଡ଼ି ଧରି ଘରୁ ଲୁଚି ପଳାଇ ଆସିଲା। ସନ୍ଧ୍ୟା ହେଲେ ଘରକୁ ଫେରିବ ଭାବି ଆଉ ଖୋଜି ନ ଥିଲୁ। ମାତ୍ର ପୁଅ ଘରକୁ ନ ଫେରିବାରୁ ଖୋଜାଖୋଜି କରି ଡ୍ରେନରୁ ପାଇଥିଲୁ। ସେତେବେଳକୁ ତା’ ଜୀବନ ଚାଲି ଯାଇଥିଲା। ଡ୍ରେନ ମୁକୁଳା ଥିବାରୁ ଆଜି ମୁଁ ମୋ’ ପୁଅକୁ ହରାଇଲି।

ବିଶ୍ୱକପ ହକି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଶାସନ ସହରକୁ ସଜାଇବାରେ ବ୍ୟସ୍ତ ଥିବା ବେଳେ ଡ୍ରେନକୁ ମୁକୁଳା ଛାଡ଼ି ଦେଉଛି। କିଛି ଦିନ ପୂର୍ବେ ଭୁବନେଶ୍ୱରରେ ଏକ ମୁକୁଳା ଡ୍ରେନରେ ପଡ଼ି ଜଣେ ବିଦେଶୀ  ସାମ୍ବାଦିକଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଏବେ କଟକରେ ମୁକୁଳା ଡ୍ରେନ ଯୋଗୁ ଜଣେ ପିଲାଟିର ଜୀବନ ଚାଲିଯିବା ସତ୍ତ୍ୱେ ଚେତୁନି ପ୍ରଶାସନ ।

ବିଡାନାସୀ ବନ୍ଧ ଛକ ଅଞ୍ଚଳର ଉକ୍ତ ଡ୍ରେନଟି ଦୀର୍ଘ ଦିନ ଧରି  ମୁକୁଳା ପଡ଼ିଥିବା ବେଳେ କାମ ଛାଡ଼ି ଠିକାଦାର ଫେରାର ହୋଇ ଯାଇଛନ୍ତି। ହେଲେ ଏହି ସମସ୍ୟାର ସମାଧାନ କରିବାକୁ ସିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି।

ad-week
Leave A Reply

Your email address will not be published.