୨ଟି ଝିଅ ପରେ ପୁଅ ହେବା ଖୁସିରେ ନେପାଳର ପଶୁପତିନାଥ ମନ୍ଦିର ଯାଇଥିଲେ, ବିମାନ ଦୁର୍ଘଟଣା ନେଲା ଜୀବନ

add-all

ନୂଆଦିଲ୍ଲୀ: ୨ଟି ଝିଅ ପରେ ପୁଅ ହେବା ଖୁସିରେ ନେପାଳର ପଶୁପତିନାଥ ମନ୍ଦିର ଯାଇଥିଲେ, ହେଲେ ବିମାନ ଦୁର୍ଘଟଣା ନେଲା ଜୀବନ। ରବିବାର ସକାଳେ ନେପାଳର ପୋଖରାଠାରେ ୟେତି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେଥିରେ ୫ଜଣ ଭାରତୀୟ ଥିଲେ। ୫ଜଣଙ୍କ ମଧ୍ୟରେ ଜଣେ ଥିଲେ ସୋନୁ ଜୟସ୍ବାଲ୍। ସେ ପୁଅ ହେବା ଖୁସିରେ ନେପାଳର ପଶୁପତିନାଥ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ହେଲେ ଏହା ତାଙ୍କର ଶେଷ ଯାତ୍ରା ହେବ ବୋଲି ତାଙ୍କୁ ଜଣା ନଥିଲା।
ମିଳିଥିବା ସୂଚନା ମୁତାବକ, ୨ଟି ଝିଅ ଥିବାରୁ ପୁଅଟିଏ ହେଉ ବୋଲି ମାନସିକ କରିଥିଲେ ସୋନୁ। ପୁଅ ହେଲେ ସେ ନେପାଳର ପଶୁପତିନାଥ ମନ୍ଦିରକୁ ଯାଇ ପୂଜା କରିବେ ବୋଲି ମନସ୍ଥ କରିଥିଲେ। ୬ମାସ ପୂର୍ବେ ତାଙ୍କର ପୁଅ ହେବା ପ‌ରେ ସେ ଜାନୁଆରି ୧୦ରେ ନେପାଳ ଯାଇଥିଲେ। ହେଲେ ବିଧିର ବିଧାନ ଭିନ୍ନ, ମାନସିକ ପୂରଣ ହେବା ପରେ ସେ ନିଜ ପୁଅ ସହ ଆଉ ସମୟ ବିତାଇପାରିବେ ନାହିଁ ।
ତେବେ ସୋନୁ ଜୟସ୍ବାଲ୍ ଏକ ମଦ ଦୋକାନ ଚଳାଉଥିଲେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ପରିବାର ବାରାଣସୀର ସାରନାଥରେ ରହୁଥିବା ବେଳେ ଅଲାବଲପୁର ଚଟ୍ଟୀଠାରେ ତାଙ୍କର ଆଉ ଏକ ଘର ଅଛି। ବିମାନ ଦୁର୍ଘଟଣାରେ ସୋନୁଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅଭିଷେକ କୁଶୱା (୨୫), ବିଶାଲ ଶର୍ମା (୨୨) ଏବଂ ଅନିଲ କୁମାର ରାଜଭର (୨୭) ମଧ୍ୟ ପ୍ରାଣ ହରାଇଛନ୍ତି। ଚାରିଜଣ ସାଙ୍ଗ ପଶୁପତିନାଥ ମନ୍ଦିର ଦର୍ଶନ କରିବା ପରେ ବସରେ ପୋଖରା ଯିବାକୁ ଯୋଜନା ରଖିଥିଲେ। କିନ୍ତୁ ହଠାତ ସେମାନଙ୍କ ଯୋଜନା ବଦଳି ଯାଇଥିଲା। ପୋଖରା ଯିବା ପାଇଁ ବସ ଟିକେଟ ବଦଳରେ ସେମାନେ ବିମାନ ଟିକେଟ ବୁକ କରିଥିଲେ, ଯାହା ସେମାନଙ୍କ ‌ଶେଷ ଯାତ୍ରା ହେଲା।
ତେବେ ସମସ୍ତେ ଗୋଟିଏ ଗାଁର ଥିବା ବେଳେ ଆଜି ଏ ସମସ୍ତଙ୍କ ମୃତଦେହ ସେମାନଙ୍କ ଗାଁରେ ପହଞ୍ଚିଛି। ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତକଙ୍କୁ ଦେଖିବା ପାଇଁ ଗ୍ରାମରେ ପ୍ରବଳ ଭିଡ଼ ଲାଗି ରହିଛି।

ad-week
Leave A Reply

Your email address will not be published.