ଡିବିରିରୁ ନିଆଁ ଲାଗି ଜଣେ ମୃତ, ୩ ଗୁରୁତର…

add-all

ଭଞ୍ଜନଗର: ଡିବିରି ଫାଟିଯିବାରୁ ନିଆଁ ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଏହି ଘଟଣା ଘଟିଛି।

ମୃତାହତମାନେ ଗୋଟିଏ ପରିବାରର। ମୃତକଙ୍କ ନାଁ ଅଞ୍ଜଳି ନାଇକ। ତାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା।  ଆହତ ମାନେ ହେଲେ ତାଙ୍କ ମା’ ସୁଷମା ନାଇକ, ଅଜା  ଛବି ନାଇକ ଓ ଆଈ ଧୋବୁଣି ନାଇକ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବନ୍ଧାଗୋଚ୍ଛା ଗାଁରେ ହାତୀ ଚଳପ୍ରଚଳ ଯୋଗୁ ଗତକାଲି ବନ ବିଭାଗ ପକ୍ଷରୁ ସେଠାରେ ବିଦ୍ୟୁତ୍‌ କାଟ କରାଯାଇଥିଲା। ଲାଇନ୍ ନଥିବାରୁ ତଥା କିରୋସିନ ଶେଷ ହୋଇଯାଇଥିବାରୁ ପେଟ୍ରୋଲରେ ଡିବିରି ଜଳାଇ ଗୋଟିଏ ରୁମ୍‌ରେ ଶୋଇଥିଲେ ଛବି, ତାଙ୍କ ଝିଅ ଓ ନାତୁଣୀ। ଏହି ସମୟରେ ଡିବିରିଟି ଫାଟିଯାଇ ଘରେ ନିଆଁ ଲାଗିଯାଇଥିଲା।  ଡିବିରି ପାଖରେ ଶୋଇଥିବା ସୁଷମା ଓ ତାଙ୍କ ଝିଅ ଅଞ୍ଜଳିଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଝିଅ ଓ ନାତୁଣୀକୁ ବଞ୍ଚାଇବାକୁ ଯାଇ ଛବି ମଧ୍ୟ ପୋଡ଼ି ଯାଇଥିଲେ। ସେମାନଙ୍କ ପାଟିଶୁଣି ଛବିଙ୍କ ସ୍ତ୍ରୀ ଧୋବୁଣି ସେଠାକୁ ଦୌଡ଼ି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା।

ପାଟି ଶୁଣି ଗାଁ ଲୋକେ ପହଞ୍ଚି ୪ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡିକାଲକୁ ନେଇଥିଲେ। ସୁଷମା ଓ ତାଙ୍କ ଝିଅ ଅଞ୍ଜଳିଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସେମାନଙ୍କୁ କଟକ ଏସ୍‌ସିବିକୁ ପଠାଯାଇଥିଲା। ଆଜି ସକାଳେ ସେଠାରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଯାଇଛି।ସୋରଡ଼ା ଥାନା ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.