
ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ନେତା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ବସିଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ୨୦୨୪ ମସିହା ଜୁନ୍ ମାସ ଯାଏ ନଡ୍ଡାଙ୍କ ବିଜେପିର ଅଧ୍ୟକ୍ଷ ଭାବେ କାମ କରିବେ। ଏହାର ଅର୍ଥ ଚଳିତ ବର୍ଷ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ମସିହା ସାଧାରଣ ନିର୍ବାଚନ ବିଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହିଁ ଲଢ଼େଇ କରିବ।
ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି। କାଲିଠାରୁ ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ଏଥିରେ ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ।
୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏଥିରେ ମାନସମନ୍ଥନ ହୋଇଛି। ଏଥିସହ ଦଳ ନଡ୍ଡାଙ୍କ ନେତୃତ୍ୱରେ ମଧ୍ୟ ନିର୍ବାଚନ ଲଢ଼ିବାକୁ ସମସ୍ତେ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି।
ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ଥିବା ବେଳେ ୨୦୨୪ ଆରମ୍ଭରୁ ସାଧାରଣ ନିର୍ବାଚନ ହେବ। ତେଣୁ ଏପରି ସ୍ଥିତିରେ ଦଳ ନୂଆ ଅଧ୍ୟକ୍ଷ ବାଛିବା ମୁଡରେ ନଥିଲା। ଯେହେତୁ ନଡ୍ଡା ଅଧ୍ୟକ୍ଷ ଭାବେ ପ୍ରାୟ ୨ ବର୍ଷ କାମ କରି ସାରିଛନ୍ତି, ତେଣୁ ତାଙ୍କ ନାତୃତ୍ୱରେ ୨୦୨୩ ଓ ୨୦୨୪ରେ ନିର୍ବାଚନ ଲଢ଼ିବା ଦଳ ପାଇଁ ଶୁଭଙ୍କର ହେବ ବୋଲି ଜାତୀୟ କାର୍ଯ୍ୟକାରିଣୀ ନିଷ୍ପତ୍ତି ନେଇଛି।
ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ସୂଚନା ଦେଇ ଅମିତ ଶାହ କହିଛନ୍ତି, ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସର୍ବସମ୍ମତିକ୍ରମେ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୪ ଜୁନ ମାସ ଯାଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଦଳ ୨୦୧୯ ତୁଳନାରେ ୨୦୨୪ରେ ଆହୁରି ଅଧିକ ଆସନରେ ଜିତିବ। ଏନେଇ ଆମ ଭିତରେ ବିଶ୍ୱାସ ରହିଛି ବୋଲି ସେ ଦମ୍ଭୋକ୍ତି କରିଛନ୍ତି।