ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣା; ସିଏମ୍‌ସି ମେୟର ଓ କମିଶନରଙ୍କୁ ଘେରିଲେ ଲୋକେ…

youtube

କଟକ: ‘ମୁକୁଳା ଡ୍ରେନରେ ପଡ଼ି ଆମ ପୁଅର ଜୀବନ ଯାଇଛି। ଆମକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଉ। ତା’ସହିତ ଏହି ଘଟଣା ପାଇଁ ଜେଇଙ୍କୁ ବଦଳି କରାଯାଉ। ତାଙ୍କର ଦାୟିତ୍ୱହୀନତା ଯୋଗୁ ଆମ ପୁଅର ଜୀବନ ଗଲା।’  ଆଜି ଏପରି ଦାବି କରି ସିଏମ୍‌ସି ମେୟର ସୁବାଷ ସିଂ ଓ କମିଶନର ନିଖିଲ ପବନ କଲ୍ୟାଣଙ୍କୁ ଘେରିଥିଲେ ମୃତ ନାବାଳକଙ୍କ ପରିବାର ଲୋକେ। ସେମାନଙ୍କ ସହିତ ସ୍ଥାନୀୟ ଲୋକେ ବି ମେୟର ଓ କମିଶନରଙ୍କୁ ଘେରିଥିଲେ।

ଗତ ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ କଟକ ବିଡ଼ାନାସୀ ବନ୍ଧ ଅଞ୍ଚଳରେ ୯ ବର୍ଷୀୟ ଯୋଶେଫ ସାହାଣୀ ଗୁଡ଼ି ଉଡ଼ାଉ ଥିବାବେଳେ ମୁକୁଳା ଡ୍ରେନରେ ପଡ଼ି ପ୍ରାଣ ହରାଇଥିଲେ। ଆଜି ସିଏମ୍‌ସି ମେୟର ଓ କମିଶନର ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ଏହି ସମୟରେ ମୃତ ନାବାଳକଙ୍କ ବାପାମା’ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ସେମାନେ କ୍ଷତିପୂରଣ ଦାବି କରିବା ସହିତ ଏଭଳି ଘଟଣା ପୁନର୍ବାର ଯେମିତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମେୟରଙ୍କୁ କହିଥିଲେ। ମୁକୁଳା ଥିବା ଡ୍ରେନରେ ଶୀଘ୍ର ସ୍ଲାବ୍ ପକାଇବାକୁ ସେମାନେ ଦାବି କରିଥିଲେ।

ମେୟର ସ୍ଥାନୀୟ ଲୋକଙ୍କ କଥାରେ ରାଜି ହୋଇଥିଲେ। ଖୁବ୍‌ ଶୀଘ୍ର କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୃତ ନାବାଳକଙ୍କ ବାପାମା’ଙ୍କୁ ସିଏମ୍‌ସି ପକ୍ଷରୁ ୩୦ ହଜାର ଟଙ୍କାର ସହୟତା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କାର ସହାୟତ।  ପ୍ରଦାନ କଲେ।

ମେୟର କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ମୃତ ଶିଶୁଟିର ପରିବାରକୁ କ୍ଷତିପୂରଣ ଦିଆଯିବ। ଏନେଇ ଗତକାଲି ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ କଥା ହୋଇଛି। ଘଟଣାର ତଦନ୍ତ ଚାଲିଛି। ଏହି ଘଟଣା ପାଇଁ ଯିଏ ଦାୟୀ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.