
ଚଣ୍ଡିଗଡ଼: ବେଶ ରୋମାଞ୍ଚକର ଢଙ୍ଗରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜିମାତ କରିଛି ବିଜେପି। ବିଜେପିର ଅନୂପ ଗୁପ୍ତା ମାତ୍ର ଗୋଟିଏ ଭୋଟରେ ଆପ୍ର ଜଶବୀର ସିଂହଙ୍କୁ ପରାସ୍ତ କରିଛନ୍ତି। ଏହି ଗୋଟିଏ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବିଜେପିର ଅନୂପ ଗୁପ୍ତା ଚଣ୍ଡିଗଡ଼ର ନୂଆ ମେୟର ହେବାକୁ ସକ୍ଷମ ହୋଇଛନ୍ତି।
ଅନୂପ ୧୫ଟି ଭୋଟ ପାଇଥିବା ବେଳେ ଆପ୍ର ଜଶବୀର ୧୪ ଜଣ ସଦସ୍ୟଙ୍କ ସମର୍ଥନ ପାଇଛନ୍ତି। ଚଣ୍ଡିଗଡ଼ ମେୟର ନିର୍ବାଚନ ବେଶ ରୋମାଞ୍ଚକର ହେବ ବୋଲି ସମସ୍ତେ ଜାଣିଥିଲେ। କାରଣ ମେୟର ନିର୍ବାଚନ ପୂର୍ବରୁ ଚଣ୍ଡିଗଡ଼ ମହାନଗର ନିଗମକୁ ନିର୍ବାଚିତ ହୋଇଥିବା କଂଗ୍ରେସର ୬ ଜଣ ଓ ଅକାଳୀ ଦଳର ଏକମାତ୍ର ସଦସ୍ୟ ଭୋଟ ଦେବେ ନାହିଁ ବୋଲି ଘୋଷଣା କରିଥିଲେ।
ନିଗମରେ ବିଜେପି ଓ ଆପ୍ର ୧୪ ଜଣ ଲେଖାଏ ସଦସ୍ୟ ରହିଥିଲେ। ଚଣ୍ଡିଗଡ଼ ଲୋସଭା ଆସନରୁ ବିଜେପି ଟିକେଟରେ ଜିତିଥିବା କିରଣ ଖେର ମଧ୍ୟ ମେୟର ନିର୍ବାଚନରେ ଭୋଟ ଦେଇଛନ୍ତି।
ସେ ନିଗମର ପୂର୍ବ ଅଫିସ ସଦସ୍ୟ ଭାବେ ଭୋଟ ଦାନର ଅଧିକାର ପାଇଥିଲେ। ଏହି ଗୋଟିଏ ଭୋଟ ହିଁ ବିଜେପି ଓ ଆପ୍ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିଥିଲା। ଖେରଙ୍କ ଭୋଟ ଯୋଗୁ ବିଜେପିର ଅନୂପ ଜିତିବାକୁ ସକ୍ଷମ ହୋଇଛନ୍ତି।