
ନୂଆଦିଲ୍ଲୀ: ଜଘନ୍ୟ ଅପରାଧ କହି ଲଖିମ୍ପୁର ଖେରି ହିଂସା ମାମଲାର ଅନ୍ୟତମ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଆଜି ଉତ୍ତର ପ୍ରଦେଶ ସରକାର ସୁପ୍ରିମ୍ କୋର୍ଟରେ ବିରୋଧ କରିଛନ୍ତି।
ଏହାପରେ, ଅଦାଲତ ଏହି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ସାଂଘାତିକ ଅପରାଧ ବୋଲି ଉତ୍ତର ପ୍ରଦେଶର ଅତିରିକ୍ତ ଆଡ୍ଭୋକେଟ୍ ଜେନେରାଲ୍ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜେ.କେ. ମାହେଶ୍ବରୀଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି।
କେଉଁ ଆଧାରରେ ଜାମିନକୁ ବିରୋଧ କରାଯାଉଛି ବୋଲି ଅଦାଲତ ପଚାରିବାରୁ ସେ କହିଲେ, ଅପରାଧ ସାଂଘାତିକ ଓ ଜଘନ୍ୟ। ତେଣୁ, ଜାମିନ ମଞ୍ଜୁର କଲେ ଲୋକେ ଠିକ୍ ହେଲାନି ବୋଲି କହିବେ। ସୁପ୍ରିମ୍ କୋର୍ଟ ମଧ୍ୟ କହିଛନ୍ତି ଯେ, ଏହି ଅପରାଧ ଉପରେ ଦୁଇଟି ରିପୋର୍ଟ ଅଛି। କୌଣସି ରିପୋର୍ଟ ଉପରେ ଟିପ୍ପଣୀ ଦେଇ ହେବନାହିଁ।
ପ୍ରାରମ୍ଭିକ ତଦନ୍ତ ଅନୁସାରେ, ସେ ଉକ୍ତ ଅପରାଧରେ ସମ୍ପୃକ୍ତ ଥିଲେ। ସେ ଜଣେ ଅଭିଯୁକ୍ତ, ନିର୍ଦ୍ଦୋଷ ନୁହନ୍ତି। ସେ ପ୍ରମାଣ ନଷ୍ଟ କରିଥିବା ଘଟଣା ଉପରେ କ’ଣ ରାଜ୍ୟ ସରକାରଙ୍କ ମାମଲା ପର୍ଯ୍ୟବେଶିତ ବୋଲି ଖଣ୍ଡପୀଠ ପଚାରିଥିଲେ। ଏହାର ଉତ୍ତର ଦେଇ ଆଡ୍ଭୋକେଟ୍ ଜେନେରାଲ୍ କହିଲେ, ଏପର୍ଯ୍ୟନ୍ତ ସେ ମାମଲା ରୁଜୁ କରାଯାଇ ନାହିଁ।
ଜାମିନ ଆବେଦନକୁ ବିରୋଧ କରୁଥିବା ଲୋକଙ୍କ ତରଫରୁ ହାଜର ହୋଇ ବରିଷ୍ଠ ଓକିଲ ଦୁଶ୍ୟନ୍ତ ଦାବେ କହିଲେ, ଜାମିନ ମଞ୍ଜୁର କଲେ ଲୋକମାନଙ୍କର ମନରେ ମନ୍ଦ ଧାରଣା ସୃଷ୍ଟି ହେବ। କାରଣ, ଏହି ଅପରାଧ ହେଉଛି ଗୋଟାଏ ଷଡ଼ଯନ୍ତ୍ର ଏବଂ ସୁପରିକଳ୍ପିତ ହତ୍ୟାକାଣ୍ଡ। ଚାର୍ଜସିଟ୍ରୁ ଏକଥା ମୁଁ ଦେଖାଇ ପାରିବି। ସେ ଜଣେ କ୍ଷମତାଶାଳୀ ବ୍ୟକ୍ତିଙ୍କ ପୁଅ ଏବଂ ଶକ୍ତିଶାଳୀ ଓକିଲ ତାଙ୍କର ପ୍ରତିନିଧିତ୍ବ କରୁଛନ୍ତି।
ମିଶ୍ରାଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଡ୍ଭୋକେଟ୍ ମୁକୁଲ ରୋହତୋଗି ଦାବେଙ୍କ କଥାକୁ ଦୃଢ଼ ବିରୋଧ କରି କହିଲେ, ଇଏ କି କଥା? କିଏ ଶକ୍ତିଶାଳୀ? ଆମେ ସବୁଦିନ ଅଦାଲତରେ ହାଜର ହେଉଛୁ। ଜାମିନ ମଞ୍ଜୁର ନ କରିବା ଲାଗି ଏଇଟା କ’ଣ ଗୋଟାଏ ସର୍ତ୍ତ ହୋଇ ପାରିବ?
ରୋହତଗି କହିଲେ ଯେ, ବର୍ଷେରୁ ଅଧିକ ହେବ ତାଙ୍କ ମହକିଲ (ଆଶିଷ) ଜେଲ୍ରେ ରହିଲେଣି। ବିଚାର ଚାଲିଛି। ସରିବାକୁ ୭/୮ ବର୍ଷ ଲାଗିବ। ଜାମିନକୁ ବିରୋଧ କରୁଥିବା ଆବେଦନକାରୀ ଜଗଜୀତ ସିଂହ ଜଣେ ପ୍ରତ୍ୟକ୍ଷଦର୍ଶୀ ନୁହନ୍ତି। ତାଙ୍କ ଅଭିଯୋଗ ଶୁଣାକଥା ଉପରେ ପର୍ଯ୍ୟବେଶିତ। ଆମେ ନିର୍ଦ୍ଦୟ ଭାବେ ଲୋକମାନଙ୍କ ଉପରେ ଗାଡ଼ି ମଡ଼େଇ ଦେଲୁ ବୋଲି ବହୁସଂଖ୍ୟକ ଲୋକେ କହୁଥିବା ବେଳେ ଘଟଣା ଦେଖି ନ ଥିବା ଜଣେ ଲୋକଙ୍କ କଥାରେ ‘ଏଫ୍ଆଇଆର୍’ ପଞ୍ଜୀକୃତ ହୋଇଥିବା ଜାଣି ମୁଁ ଆଚମ୍ବିତ ହେଉଛି।
ମୋ ମହକିଲ ଜଣେ ଅପରାଧୀ ନୁହନ୍ତି। ତାଙ୍କର ଅପରାଧିକ ଇତିହାସ ନାହିଁ। ତେଣୁ, ତାଙ୍କୁ ଜାମିନ ମିଳିବା ଉଚିତ ବୋଲି ରୋହତଗି କହିଛନ୍ତି।
ସ୍ମରଣଯୋଗ୍ୟ, ୨୦୨୧ ଅକ୍ଟୋବର ୩ ତାରିଖ ଦିନ ଲଖିମ୍ପୁର ଖେରି ଜିଲ୍ଲାର ତିନକୁନିଆ ଜିଲ୍ଲାରେ କୃଷକମାନେ ଉତ୍ତର ପ୍ରଦେଶର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ କେଶବପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରି ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ଘଟିଥିବା ହିଂସାକାଣ୍ଡରେ ୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଉତ୍ତର ପ୍ରଦେଶ ପୁଲିସ ‘ଏଫ୍ଆଇଆର୍’ ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରା ବସିଥିବା ଗୋଟାଏ ‘ଏସ୍ୟୁଭି’ ଗାଡ଼ି ମାଡ଼ିଯିବାରୁ ୪ଜଣ କୃଷକଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ କୃଷକମାନେ ଜଣେ ଡ୍ରାଇଭର୍ ଓ ଦୁଇଜଣ ‘ବିଜେପି’ କର୍ମୀଙ୍କୁ ପିଟି ପିଟି ମାରିପକାଇଥିଲେ। ଏହି ହିଂସାକାଣ୍ଡରେ ଜଣେ ସାମ୍ବାଦିକଙ୍କର ବି ମୃତ୍ୟୁ ଘଟିଥିଲା।