
ନୂଆଦିଲ୍ଲୀ: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି; ସ୍ବପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି। ସମସ୍ତଙ୍କୁ ଚକିତ କରି ଶେଷରେ ସଫଳତାର ସହ ନିର୍ମାଣ ହୋଇଛି ଉଡ଼ନ୍ତା ବାଇକ୍। ଯାହାକୁ ନିର୍ମାଣ କରିଛି ଜାପାନର ଏକ ଷ୍ଟାର୍ଟଅପ୍ ଏୟାରଓ୍ଵିନ୍ସ୍ ଟେକ୍ନୋଲୋଜି ନାମକ ଏକ କମ୍ପାନି । ଉଡ଼ନ୍ତା ବାଇକ୍ ଦ୍ବାରା ଅତି ସହଜରେ ଗୋଟଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ହେବ। ତେବେ ଏହା ହେଉଛି ଦୁନିଆର ପ୍ରଥମ ଉଡ଼ନ୍ତା ବାଇକ୍। ସଫଳତା ପରେ କମ୍ପାନି ଏବେ ଚର୍ଚ୍ଚାରେ ରହିଛି ।
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଉଡ଼ନ୍ତା ବାଇକର ଭିଡିଓ ଟୁଇଟରରେ ସେୟାର କରି ଲେଖିଛନ୍ତି, ‘ଉଡ଼ୁଥିବା ବାଇକର ମୁଲ୍ୟ ପ୍ରାୟ ୮୦୦ ହଜାର ଆମେରିକୀୟ ଡଲାର୍ ହେବ । ଏହା ମୁଖ୍ୟତଃ ବିଶ୍ବର ସମସ୍ତ ପୁଲିସ୍ ମାନଙ୍କ ଦ୍ୱାରା ବ୍ୟବହୃତ ହେବ।” ଏହା ଚଳଚ୍ଚିତ୍ରଗୁଡ଼ିକରେ କିଛି ନୂଆ ରୋଚକ ଦୃଶ୍ୟ ନିର୍ମାଣ ପାଇଁ ଭଲ ହେବ।’ ଏହି ଭିଡିଓ ସେପ୍ଟେମ୍ବର ୨୦୨୨ରେ ରଏଟର୍ସ ଦ୍ୱାରା ପୋଷ୍ଟ କରାଯାଇଥିଲା।
ଜାପାନରେ ଏୟାରଓ୍ଵିନ୍ସ୍ କମ୍ପାନି ଏହି ବାଇକ୍ ଲଞ୍ଚ କରିସାରିଛି, ସେଠାରେ ଏହାର ମଧ୍ୟ ବିକ୍ରି ହେଉଛି । ଏହାର ଛୋଟ ଭର୍ଜନ୍କୁ ଆମେରିକାରରେ ଲଞ୍ଚ କରାଯାଇଛି। ସେଠାରେ ଏହାର ମୂଲ୍ୟ ପ୍ରାୟ ୮୦୦୦୦୦ ଡଲାର ରହିଛି । ଭାରତୀୟ ମୂଲ୍ୟରେ ପ୍ରାୟ ସାଢ଼େ ଛଅ କୋଟି ଟଙ୍କା ହେବ। ଭିଡିଓରେ ବାଇକର ପରୀକ୍ଷଣ ସମୟର ଦୃଶ୍ୟ ଦେଖାଯାଇଛି । ବାଇକ୍ ୪୦ ମିନିଟ୍ ପାଇଁ ପବନରେ ଉଡ଼ିବାରେ ସକ୍ଷମ ରଖୁଥିବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିଛି । ୩୦୦ କିଲୋଗ୍ରାମର ଏହି ବାଇକର ଲମ୍ବ ୩.୭ ମିଟର, ମୋଟେଇ ୨.୪ ମିଟର ଏବଂ ଉଚ୍ଚତା ୧.୫ ମିଟର ରହିଛି । ଏହା ପାଖାପାଖି ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇବାକୁ ସକ୍ଷମ । କମ୍ପାନିର ଅଫିସିଆଲ୍ ୱେବସାଇଟରେ ଏହାର ଅଫିସିଆଲ୍ ବୁକିଂ ମଧ୍ୟ ଆରମ୍ଭ ହୋଇଛି। ଏହି ବାଇକ୍ ତିନିଟି ରଙ୍ଗରେ ଉପଲବ୍ଧ ଯାହାକି ଲାଲ୍, କଳା ଏବଂ ନୀଳ ।
ଏହି ଉଡ଼ନ୍ତା ବାଇକ୍ ଦେଖି, ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଆସିବ ଯେ, ଏହାକୁ ଆକାଶରେ ଉଡ଼ାଇବା ପାଇଁ ପାଇଲଟ୍ ଲାଇସେନ୍ସ ଆବଶ୍ୟକ ହେବ କି ? ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହାର ଲଞ୍ଚ କରିବା ସମୟରେ, ଏୟାରଓ୍ଵିନ୍ସ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା, ନିର୍ଦ୍ଦେଶକ, ସଭାପତି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୋମାସ୍ତୁ କହିଛନ୍ତି, “ଏହି ହୋଭରବାଇକ୍ ଜାପାନରେ ବିକ୍ରି ହେଉଛି ଏବଂ ସେଠାକାର ସରକାର ଏହାକୁ ଏୟାରକ୍ରାପ୍ଟ ବର୍ଗରେ ରଖି ନାହାନ୍ତି।,ସେଥିଲାଗି ଏହାକୁ ଚଲାଇବା ପାଇଁ ପାଇଲଟ୍ ଲାଇସେନ୍ସର ଆବଶ୍ୟକତା ନାହିଁ।