ସିଡିଏମ୍‌ଓ ଧରିଲେ ରୋଗୀ ସେବା କରୁଥିବା ନକଲି ଡାକ୍ତର…

newyr25

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନକଲି ଡାକ୍ତର ଧରାପଡ଼ିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଜଣେ ଯୁବକ ନିଜକୁ ଡାକ୍ତର ବେଶରେ ସଜେଇ ହୋଇ ଭଦ୍ରକ ମେଡ଼ିକାଲରେ ପ୍ରସୂତି ବିଭାଗରେ ରୋଗୀ ସେବା କରୁଥିବା ବେଳେ ତାଙ୍କ ଉପରେ ସନ୍ଦେହ କରି ତାଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ନକଲି ଡାକ୍ତର ଜଣକ ଚଞ୍ଚକତା କରି ବେକରେ ଷ୍ଟେଥୋ ପକାଇ ମେଡିକାଲକୁ ଯାଉଥିବା ସମୟରେ ଧରାପଡ଼ିଛନ୍ତି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ବିଭାଗର ସିକ୍ୟୁରିଟି ଗାର୍ଡଙ୍କୁ ଜନୈକ ଯୁବକ ନିଜକୁ ଡାକ୍ତର ପରିଚୟ ଦେଇଥିଲେ। ବେକରେ ଷ୍ଟ୍ରେଥୋ ପକାଇ ଥିବା ବେଳେ ଗାର୍ଡଙ୍କୁ ନୂଆ କରି ଜଏନ କରିଥିବାରୁ ଓଟି ଓ ୱାର୍ଡକୁ ରାସ୍ତା ପଚାରି ଯାଇଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ୱାର୍ଡରେ ବୁଲୁଥିବା ବେଳେ ସନ୍ଦେହ ହେବାରୁ ତାଙ୍କୁ ପରିଚୟ ପଚାରିଥିଲେ। କିନ୍ତୁ ଠିକ ଉତ୍ତର ନପାଇବାରୁ ତାଙ୍କୁ ମେଡିକାଲ ରେ ଥିବା ପୁଲିସ ସହାୟତା କେନ୍ଦ୍ରକୁ ଆଣିଥିଲେ। ପଚରାଉଚୁରା ବେଳେ ଯୁବକ ଜଣକ ନକଲି ଡାକ୍ତର ବୋଲି ଜଣାପଡ଼ିଛି। ତେବେ ଯୁବକ ଜଣକ ଯାଜପୁର ଜିଲ୍ଲା ଅଞ୍ଚଳର ରାଜୀବ ବୋଲି ସୂଚନା ମିଳିଛି। ତେବେ ଯୁବକଙ୍କୁ ଭଦ୍ରକ ଟାଉନ ପୁଲିସ ଅଟକ ରଖି ପଚରାଉଚୁରା କରିଛନ୍ତି। ଯୁବକ ଜଣକ ଡାକ୍ତର ପରିଚୟ କାହିଁକି ଦେଇଥିଲେ, ସେ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ । ଏହି ଘଟଣା ପରେ ଭଦ୍ରକ ଜିଲ୍ଲାରେ ନକଲି ଡାକ୍ତରଙ୍କ ସଂଖ୍ୟା ଆହୁରି କେତେ ଥିବା ତାକୁ ନେଇ ଆଶଙ୍କା ବଢୁଛି।

Leave A Reply

Your email address will not be published.