ଟି-ସେତୁରେ ଜାଗର କଟକଣା…

add-all

କଟକ : ଆସନ୍ତା ୧୮ ତାରିଖରେ ମହାଶିବ ରାତ୍ରୀ। ଏଥିପାଇଁ ବଡ଼ମ୍ୱା ସିଂହନାଥ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଟି-ସେତୁ ଦେଇ ଯାନବାହନ ବନ୍ଦ ରହିବ ବୋଲି ଶନିବାର ଜାଗର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ବାରିକେଡ୍‌ କରାଯିବ। ଉଭୟ ପାର୍ଶ୍ୱରେ ୧୦ କିଲୋମିଟର ପରିଧି ଭିତରେ ଯାନବାହନ ଚଳାଚଳ ବନ୍ଦ ରହିବ। ଏନେଇ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ଆଠଗଡ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି। ପୀଠରେ ଭକ୍ତମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ସହିତ ସେତୁ ଉପରେ ଆଲୋକୀକରଣ କରାଯିବ। ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରବେଶିକା ଫି’ ୫ ଟଙ୍କା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସିଂହନାଥ ପୀଠରେ ମହାଶିବ ରାତ୍ରୀ ପାଇଁ ଓଟିଡିସି ବଙ୍ଗଳାରେ ପ୍ରସ୍ତୁତି ବୈଠକ ବସିଥିଲା।

ବୈଠକରେ ବିଧାୟକ ଦେବୀପ୍ରସାଦ ମିଶ୍ର, ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲା ପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ସାହୁ, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ବଡମ୍ବା ତହସିଲଦାର ନୀଳକଣ୍ଠ ବେହେରା, ବାଙ୍କୀ ତହସିଲଦାର ପ୍ରଜ୍ଞା ପରମିତା ପୃଷ୍ଟି, ପୁଲିସ ଅଧୀକ୍ଷକ ଜ୍ଞାନରଞ୍ଜନ ମିଶ୍ର, ବୈଦ୍ୟେଶ୍ବର ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ, ସରପଞ୍ଚ ଯଯାତି କେଶରୀ ନାୟକ ଓ ସରପଞ୍ଚ ସୁରଞ୍ଜନ ପଣ୍ଡାଙ୍କ ସମେତ ସିଂହନାଥ ମନ୍ଦିରର ସେବାୟତ ଉପସ୍ଥିତ ଥିଲେ। ମକର ମେଳା ଦଳାଚକଟାରେ ପ୍ରାଣ ହରାଇଥିବା ଅଞ୍ଜନା ସ୍ୱାଇଁଙ୍କ ପାଇଁ ଆଜିର ବୈଠକରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ମକର ମେଳାରେ ଘଟିଯାଇଥିବା ଅଘଟଣ ଯେପରି ଆଗକୁ ନଘଟିବ, ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ad-week
Leave A Reply

Your email address will not be published.