ପରିବାର ନିୟୋଜନ ଅସ୍ତ୍ରପଚାର କରିବାରୁ ୧୧ ଛୁଆର ଜନନୀକୁ ଘରେ ପୁରାଉନାହିଁ ସ୍ଵାମୀ…

add-all

ବାଂଶପାଳ: ଅନ୍ଧବିଶ୍ୱାସର ଅନ୍ଧଗଳିରେ ଆଦିବାସୀ । ପରିବାର ନିୟୋଜନ ଅସ୍ତ୍ରପଚାର କରିବାରୁ ୧୧ ଛୁଆର ଜନନୀକୁ ଘରେ ପୁରାଉନାହିଁ ସ୍ଵାମୀ । ଫଳରେ ତିନି ଦିନ ହେଲାଣି ଛୁଆଙ୍କୁ ଧରି ଘର ବାହାରେ ଥିବା ଆମ୍ବ ଗଛ ମୂଳରେ ଭୋକ ଶୋଷରେ ଆଶ୍ରୟ ନେଇଛି ସ୍ତ୍ରୀ । ଅସ୍ତ୍ରପଚାର ପରେ ସ୍ତ୍ରୀ ମାରା ହୋଇଗଲା । ପୂର୍ବ ପୁରୁଷଙ୍କ ପିଣ୍ଡରେ ପାଣି ଟିକେ ଦେଇପାରିବନି ତେଣୁ ସ୍ତ୍ରୀ ଘରେ ରହିପାରିବନି ବୋଲି ଜିଦ କରିଛି ଅବୁଝା ସ୍ଵାମୀ । ଯିଏ ବୁଝାଇ ଯାଉଛି ଧନୁ ତୀରରେ ମାରିବାର ଧମକ ଦେଉଛି । ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଦେଖିବାକୁ ମିଳିଛି ।

ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତ ଡ଼ିମିରିଆ ଗ୍ରାମର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଦେହୁରୀଙ୍କର ୧୧ ଟି ସନ୍ତାନ । ଜଣଙ୍କ ମୃତ୍ୟୁ ପରେ ଏବେ ୧୦ଜଣ ସନ୍ତାନ ଅଛନ୍ତି । ଜାନକୀଙ୍କ କୋଳରେ ଏବେ ଏକ ମାସର କଅଁଳା ଶିଶୁ ରହିଛି । ଗତ ୧୪ ତାରିଖରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରପଚାର ଶିବିର ଅନୁଷ୍ଠିତ ହୋଇଥିଲା । ଜାନକୀ ପ୍ରତ୍ୟକ ବର୍ଷ ଗୋଟିଏ ଲେଖାଏଁ ସନ୍ତାନ ଜନ୍ମ କରି ଅତି ଦୁର୍ବଳ ହୋଇ କଷ୍ଟ ପାଉଥିଲେ ତେଣୁ ଅସ୍ତ୍ରପଚାର ଶିବିରକୁ ଯାଇ ଅସ୍ତ୍ରପଚାର କରିଥିଲେ । ତେବେ ମେଡିକାଲରୁ ଘରକୁ ଫେରିବା ପରେ ସ୍ଵାମୀ ରବି ଦେହୁରୀ ଆଉ ତାଙ୍କୁ ଘରେ ଭର୍ତ୍ତି କରିନଥିଲେ ।ମାମରା ହେଲୁ ତେଣୁ ଘରେ ପଶିଲେ ମାରିଦେବାକୁ ଧମକ ଦେଇଥିଲେ ।ଉପାୟ ନପାଇ ସ୍ତ୍ରୀ ଜାନକୀ ଛୁଆଙ୍କୁ ଧରି ଘର ଆଗରେ ଥିବା ଏକ ଅମ୍ବାଗଛ ମୂଳରେ ଆଶ୍ରୟ ନେଇଛନ୍ତି । ସାହି ଭାଇ ବୁଝାଇଲେ ବି ସ୍ଵାମୀ ରବି ବୁଝୁ ନାହିଁ । ମୋତେ ନପଚାରି ମୋ ସ୍ତ୍ରୀର ଅସ୍ତ୍ରପଚାର କରାଗଲା । ଏବେ ଆମ ସମାଜ ନିୟମ ଆନୁଯାଇ ସେ ଘରେ ପୂଜା କରିପାରିବ ନାହିଁ ଓ ପୂର୍ବପୁରୁଷଙ୍କୁ ପଣା ପାଣି ଦେଇପାରିବ ନାହିଁ ତେଣୁ ସେ ଘରେ ପଶିପାରିବ ନାହିଁ ବୋଲି ରବି ଜିଦ ଧରିଛି ।

ଅନ୍ୟପଟେ ବାରମ୍ବାର ପ୍ରସବ ଯୋଗୁଁ ଜାନକୀ ଦୁର୍ବଳ ହୋଇପଡୁଥିଲେ । ଆଗରୁ ଅସ୍ତ୍ରପଚାର ଯୋଗୁଁ ତାଙ୍କୁ ସଚେତନ କରାଯାଇଥିଲା, ଅନେକ ବୁଝା ସୁଝା ପରେ ଜାନକୀ ବୁଝି ଅସ୍ତ୍ରପଚାର କରିଥିଲା । ଏବେ ତାଙ୍କ ସ୍ଵାମୀ ବୁଝୁ ନାହାନ୍ତି, ବୁଝାଇବାକୁ ଗଲେ ଧନୁ୍ତୀରରେ ମାରି ଗୋଡାଉଛନ୍ତି । ତଥାପି ଜାନକୀ ଓ ତାଙ୍କ ଛୁଆ ମାନଙ୍କ ଖାଇବା କଥା କିଛି ଆଶାକର୍ମୀ ମାନେ ବୁଝୁଛନ୍ତି ବୋଲି କହିଛନ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ସେ ପରିବାରକୁ ବୁଝାଇବାରେ ଓ ସେମାନଙ୍କ ଖାଇବା ରହିବାର ବ୍ୟବସ୍ଥା କରାଯାଉଛି ବୋଲି ତେଲକୋଇ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.