ବାବା ଗୁପ୍ତେଶ୍ବରଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ…

add-all

ବୈପାରିଗୁଡ଼ା: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ମହାଶିବରାତ୍ରି ପାଳିତ ହୋଇଯାଇଛି। କୋରାପୁଟ ଜିଲ୍ଲା ସଦରମହକୁମା ଠାରୁ ୮୦ କିଲୋମିଟର ଦୂରରେ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ସୁଉଚ୍ଚ ପାହାଡ଼ର ଶିଖରରେ ରହିଥିବା ଏକ ଗୁମ୍ଫାରେ ବାବା ଗୁପ୍ତେଶ୍ୱରଙ୍କ ପୀଠ ରହିଥିବା ବେଳେ ଆଜି ମହାଶିବରାତ୍ରି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ଘଟିଛି।

ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା, ପଡ଼ୋଶୀ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚି ଗୁପ୍ତେଶ୍ୱରଙ୍କ ଦର୍ଶନ କରିଛନ୍ତି। ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁମାନେ କିପରି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ପାହାଡ଼ର ପାଦଦେଶରୁ ଗୁମ୍ଫାର ପ୍ରବେଶ ଦ୍ଵାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଧାଡ଼ି ବାନ୍ଧି ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘାଟି ରାସ୍ତା ଯୋଗୁଁ ଯାନବାହାନ ସବୁକୁ ହଳଦୀଗୁଣ୍ଡ ରାସ୍ତା ଦେଇ ଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଡକରି ଘାଟି ରାସ୍ତା ଦେଇ ଫେରିବାର ବ୍ୟବସ୍ଥା କରାଯାଇଛି।

ବିଦ୍ୟୁତ ଆଲୋକର ବ୍ୟବସ୍ଥା ସହ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି। ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଅସ୍ଥାୟୀ କ୍ୟାମ୍ପ ରହିଛି। ପାହାଡକୁ ଲାଗି ଖରସ୍ରୋତା ସାବେରୀ ନଦୀ ବହି ଯାଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନଦୀରେ ଗାଧେଇବା ପାଇଁ ଯାଉଥିବାରୁ କୈାଣସି ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ଏଥିସହ ନଦୀ ପାର ହୋଇ ଛତିଶଗଡ଼ରୁ ବହୁ ସଂଖ୍ୟାରେ ଯାତ୍ରୀ ଆସୁଥିବାରୁ ସେମାନଙ୍କର ସୁବିଧାରେ ଯାତାୟାତ ପାଇଁ ଅସ୍ଥାୟୀ ଭାବେ ବାଉଁଶ ବାଡର ପୋଲର ବ୍ୟବସ୍ଥା କରାଯାଇଛି। ରାତି ବାରଟାରେ ମହାଦୀପ ଉଠିବା ସାଙ୍ଗକୁ ସାଢ଼େ ବାରଟା ବେଳେ ହରିହର ଭେଟ ହେବ ବୋଲି ଜଣାପଡ଼ିଛି। ତେବେ କରୋନା ପରେ ମହାଶିବରାତ୍ରି ଅବସରରେ ବହୁ ଜନସମାଗମ ହେବାକୁ ଥିବାରୁ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ରଖିଛନ୍ତି।

ad-week
Leave A Reply

Your email address will not be published.