
ବେଙ୍ଗାଲୁରୁ: ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କର୍ଣ୍ଣାଟକ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏମିତି କି ରାଜ୍ୟ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି।
ଗଦ ରବିବାର ଦିନ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଡି ରୁପା ମୌଦଗିଲ ସୋସିଆଲ ମିଡିଆରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବ୍ୟକ୍ତିଗତ ଫଟୋ ସେୟାର କରିଥିଲେ। ଏଥିସହିତ ଦାବି କରିଥିଲେ ଯେ, ‘ ରୋହିଣୀ ସିନ୍ଧୁରୀ ପୁରୁଷ ଆଇଏଏସ୍ ଅଧିକାରୀଙ୍କ ନିକଟକୁ ତାଙ୍କ ଫଟୋ ପଠାଇ ସେବା ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି।’
ଡି ରୁପା ଏହି ଫଟୋଗୁଡ଼ିକୁ ତାଙ୍କ ଫେସବୁକ୍ ପୃଷ୍ଠାରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ, ‘ ସିନ୍ଧୁରୀ ୨୦୨୧ ଏବଂ ୨୦୨୨ ମସିହାରେ ତିନିଜଣ ଆଇଏଏସ ଅଧିକାରୀଙ୍କ ସହ ଏହି ଫଟୋ ସେୟାର କରିଛନ୍ତି।’
କେବଳ ଏତିକି ନୁହେଁ, ଗୋଟିଏ ଦିନ ପୂର୍ବରୁ ଡି ରୁପା ସିନ୍ଧୁରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ଏକ ଲମ୍ବା ତାଲିକା ପ୍ରକାଶ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ମୁଖ୍ୟ ଶାସନ ସଚିବ ବନ୍ଦିତା ଶର୍ମାଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ।
ଏହା ପରେ ସିନ୍ଧୁରୀ ରବିବାର ଦିନ ଏକ ବୟାନରେ କହିଛନ୍ତି,‘ ଯେ ଡି ରୁପା ମୋ ବିରୋଧରେ ଏକ ମିଥ୍ୟା, ବ୍ୟକ୍ତିଗତ ନିନ୍ଦା ଅଭିଯାନ’ ଚଳାଉଛନ୍ତି ଏବଂ ଧମକ ଦେଉଛନ୍ତି। ସେ ମୋତେ ବଦନାମ କରିବା ପାଇଁ ସୋସିଆଲ ମିଡିଆରୁ ଓ ହ୍ବାଟସ ଆପରୁ ସ୍କ୍ରିନସଟ ସଂଗ୍ରହ କରି ରଖିଛନ୍ତି। ଯେହେତୁ ସେ ଅଭିଯୋଗ କରିଛନ୍ତି ଯେ ମୁଁ ଏହି ଫଟୋଗୁଡ଼ିକୁ କିଛି ପୁରୁଷ ଅଧିକାରୀଙ୍କ ନିକଟକୁ ପଠାଇଛି, ତେଣୁ ମୁଁ ସେମାନଙ୍କ ନାମ ପ୍ରକାଶ କରିବାକୁ ମୁଁ ତାଙ୍କୁ ଅନୁରୋଧ କରୁଛି।’
ଡି ରୁପାଙ୍କୁ ଆକ୍ଷେପ କରି ସିନ୍ଧୁରୀ କହିଛନ୍ତି ଯେ ‘ମାନସିକ ରୋଗ ଏକ ବଡ଼ ସମସ୍ୟା, ଔଷଧ ଏବଂ ପରାମର୍ଶର ଆବଶ୍ୟକତା ରହିଛି। ଯେତେବେଳେ ଏହି ରୋଗ ଦାୟିତ୍ବରେ ଥିବା ଲୋକଙ୍କୁ ପ୍ରଭାବିତ କରେ, ଏହା ଆହୁରି ବିପଜ୍ଜନକ ହୋଇଯାଏ । ପୁଣିଥରେ କହିବି ଆଇପିଏସ୍ ରୁପା ମୋ ବିରୁଦ୍ଧରେ ଏକ ମିଥ୍ୟା, ବ୍ୟକ୍ତିଗତ ବଦନାମ ଅଭିଯାନ ଚଳାଉଛନ୍ତି।’
ଏହି ପ୍ରସଙ୍ଗରେ କର୍ଣ୍ଣାଟକର ଗୃହମନ୍ତ୍ରୀ କହିଛନ୍ତି ଯେ,‘ ମୁଁ ଏହି ବିବାଦକୁ ପୁଲିସ ମୁଖ୍ୟଙ୍କ ସହ ଆଲୋଚନା କରିଛି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଜାଣିଛନ୍ତି। ଆମେ ଚୁପ୍ ବସି ନାହୁଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁହେଁ ଏତେ ଖରାପ ବ୍ୟବହାର କରୁଛନ୍ତି କି ସାଧାରଣ ଲୋକ ମଧ୍ୟ ରାସ୍ତାରେ ଏହିପରି କଥାବାର୍ତ୍ତା କରନ୍ତି ନାହିଁ । ସେମାନେ ସେମାନଙ୍କର ବ୍ୟକ୍ତିଗତ ପ୍ରସଙ୍ଗରେ ଯାହା କରିବାକୁ ଚାହାଁନ୍ତି ତାହା କରନ୍ତୁ, କିନ୍ତୁ ଗଣମାଧ୍ୟମ ସାମ୍ନାକୁ ଆସି ଏହିପରି ଆଚରଣ କରିବା ଠିକ୍ ନୁହେଁ ।’