ପରୀକ୍ଷା ବେଳେ ହିଜାବ: ଅନୁମତି ପାଇଁ ସୁପ୍ରିମକୋର୍ଟରେ ଛାତ୍ରୀ

ନୂଆଦିଲ୍ଲୀ : ପରୀକ୍ଷା ବେଳେ ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ ଅନୁରୋଧ କରି କର୍ଣ୍ଣାଟକାର କିଛି ଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ଏହି ଆବେଦନର ଜରୁରୀ ଶୁଣାଣି ପାଇଁ ନିବେଦନ କରିଛନ୍ତି। କର୍ଣ୍ଣାଟକାରେ ପ୍ରି-ୟୁନିଭର୍ସିଟି ପରୀକ୍ଷା ମାର୍ଚ୍ଚ ୯ରୁ ଆରମ୍ଭ ହେବ। ତେଣୁ ଏହି ସମୟରେ ଛାତ୍ରୀମାନେ ହିଜାବ ପିନ୍ଧିବାକୁ ଚାହୁଁଥିବା କହିଛନ୍ତି।
ଆବେଦନକୁ ଗ୍ରହଣ କରି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆବେଦକାରୀ ଛାତ୍ରୀମାନଙ୍କୁ ଘଟଣାରେ ସେ ହସ୍ତକ୍ଷେପ କରିବେ ଓ ଏହାର ଶୁଣାଣି ପାଇଁ ଗୋଟିଏ ବେଞ୍ଚ ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଆଇନଜୀବୀ ଶାଦାନ ଫରସତ ଆଜି ସିଜେଆଇଙ୍କ ଖଣ୍ଡପୀଠ ଆଗରେ ଆବେଦନ ଦାଖଲ କରି ଜରୁରୀ ଶୁଶାଣି ପାଇଁ ଆବେଦନ କରିଥିଲେ। ମାର୍ଚ୍ଚ ୯ରୁ ପରୀକ୍ଷା ଆରମ୍ଭ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ଯଦି ସେମାନଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯାଏ ନାହିଁ, ତା’ହେଲେ ସେମାନଙ୍କର ଗୋଟିଏ ବର୍ଷ ନଷ୍ଟ ହୋଇଯିବ।
ଏହା ଶୁଣି ସିଜେଆଇ ପ୍ରଶ୍ନ କରିଥିଲେ ଯେ “ସେମାନଙ୍କୁ ପରୀକ୍ଷା ଦେବାକୁ କିଏ ବାରଣ କରୁଛି?” ଏହାର ଜବାବରେ ଆଇନଜୀବୀ କହିଥିଲେ ଯେ “ହେଡସ୍କାର୍ପ ପିନ୍ଧି ଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ଅନୁମତି ଦିଆଯାଉନି ଓ ଛାତ୍ରୀମାନେ ହେଡସ୍କାର୍ପ ବିନା ପରୀକ୍ଷା ଦେବାକୁ ପ୍ରସ୍ତୁତ ନାହାନ୍ତି। ଆମେ କେବଳ ସୀମିତ ଆଶ୍ୱସ୍ତି ସେମାନଙ୍କ ପାଇଁ ଚାହୁଁଛୁ।” ଏହାପରେ ସୁପ୍ରିମକୋର୍ଟ ବେଞ୍ଚ ଗଠନ କରାଯାଇ ଆବେଦନର ଶୁଣାଣି ହେବ ବୋଲି କହିଛନ୍ତି।
କର୍ଣ୍ଣାଟକାର ସରକାରୀ ପ୍ରି-ୟୁନିଭର୍ସିଟି କଲେଜଗୁଡ଼ିକରେ ହିଜାବ ବ୍ୟାନ କରିବାରୁ ଅନେକ ମୁସଲିମ ଶିକ୍ଷାର୍ଥୀ ଘରୋଇ କଲେଜକୁ ବଦଳି କରିଥିଲେ। ତେବେ ପରୀକ୍ଷା ସରକାରୀ କଲେଜରେ ହେବ। ଏଠାରେ ହିଜାବ ଉପରେ ବ୍ୟାନ ଲାଗିଛି। ତେଣୁ ପରୀକ୍ଷା ପୂର୍ବରୁ ଆଶ୍ୱସ୍ତି ପାଇବା ପାଇଁ ଛାତ୍ରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
୨୦୨୨ ଅକ୍ଟୋବର ମାସରେ ବିଭାଜିତ ରାୟରେ କୋର୍ଟ ହିଜାବ ବ୍ୟାନକୁ ଠିକ ଦର୍ଶାଇଥିଲେ। ଜଣେ ବିଚାରପତି କହିଥିଲେ ଯେ ରାଜ୍ୟ ସରକାର ସ୍କୁଲରେ ୟୁନିଫର୍ମ ଲାଗୁ କରିବାକୁ ଅଧିକାର ପାଇଛନ୍ତି। ହେଲେ ଆଉ ଜଣେ ବିଚାରପତି କହିଥିଲେ ଯେ ହିଜାବ ପରିଧାନ ବ୍ୟକ୍ତିଗତ ପସନ୍ଦ। ଏଥିରେ ସରକାର ହସ୍ତକ୍ଷେପ କରିପାରିବେ ନାହିଁ।
ସରକାରଙ୍କ ହିଜାବ ବ୍ୟାନ ନିଷ୍ପତ୍ତି ହାଇକୋର୍ଟରେ କାଏମ ରହିବାରୁ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ମଧ୍ୟ ମୁସଲିମ ମହିଳାମାନେ ହିଜାବ ପିନ୍ଧିବା ଇସଲାମରେ ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ।

ad-week
Leave A Reply

Your email address will not be published.