
ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଡକ୍ୟୁମେଣ୍ଟରୀ କରିଥିବା ବିବିସିକୁ ଦୃଢ଼ ସମର୍ଥନ କରିଛି ବ୍ରିଟେନ। ମୋଦିଙ୍କ ଉପରେ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀ ରିଲିଜ ହେବା ପରେ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗ ପ୍ରାୟ ୫୯ ଘଣ୍ଟା ଧରି ରେଡ କରିଥିଲା। ଏହି ରେଡ୍କୁ ବ୍ରିଟେନ ସରକାର ନିନ୍ଦା କରିଛନ୍ତି।
ଏଥିସହ ସଂସଦରେ ଏହି ପ୍ରସଙ୍ଗକୁ ନେଇ ହୋଇଥିବା ବିତର୍କ ବେଳେ ବ୍ରିଟେନ ସରକାରର ଜଣେ ସାଂସଦ ସଂପାଦକୀୟ ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ ଓ ଏ ସମ୍ପର୍କରେ ବ୍ରିଟେନ ସରକାର ଭାରତ ସରକାରଙ୍କ ସହ କଥା ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ବ୍ରିଟେନ ତା’ର ପ୍ରେସ ସ୍ୱାଧୀନତାକୁ ନେଇ ଗର୍ବିତ ବୋଲି ଟୋରି ସାଂସଦ ଡାଭିଡ ରୁଟଲେ ବିତର୍କ ବେଳେ ମତ ରଖିଛନ୍ତି।
ସେ କହିଛନ୍ତି, “ଆମେ ବିବିସି ସହ ରହିଛୁ। ଆମେ ବିବିସିକୁ ପାଣ୍ଠି ଯୋଗାଉଛୁ। ଆମେ ଭାବୁଛୁ ବିବିସିର ବିଶ୍ୱସ୍ତରୀୟ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଚାହୁଁଛୁ ଯେ ବିବିସି ଏପରି ସଂପାଦକୀୟ ସ୍ୱାଧୀନତା ରଖିଥାଉ। ବିବିସି କଞ୍ଜରଭେଟିଭ ପାର୍ଟି ଓ ଲବେର ପାର୍ଟିକୁ ସମାଲୋଚନା କଲେ ମଧ୍ୟ କିଛି ଖରାପ ନୁହେଁ। ସ୍ୱାଧୀନତା ଗୋଟିଏ ମୁଖ୍ୟ ପ୍ରସଙ୍ଗ।
ଆମେ ଏ ସମ୍ପର୍କରେ ବିଶ୍ୱରେ ଥିବା ଆମ ବନ୍ଧମାନଙ୍କ ସମେତ ଭାରତକୁ ଅବଗତ କରାଇ ସାରିଛୁ। ଭାରତ ଓ ବ୍ରିଟେନ ମଧ୍ୟରେ ବିଶାଳ ଏବଂ ଘନିଷ୍ଠ ସମ୍ପର୍କ ରହିଛି। ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଭାରତ ସରକାରଙ୍କ ଆଗରେ ଉଥାନ ମଧ୍ୟ କରାଯାଇଛି।” ବ୍ରିଟେନ ସଂସଦରେ ଆୟକର ରେଡ ଓ ବାକ୍ ସ୍ୱାଧୀନତାକୁ ନେଇ ପ୍ରଶ୍ନ ଉଠିବାରୁ ସାଂସଦ ଡାଭିଡ ଏପରି ମତ ରଖିଛନ୍ତି।
ଡୁୟୁପିର ନର୍ଦ୍ଦନ ଆୟର୍ଲ୍ୟାଣ୍ତର ସାଂସଦ ଜିମ ଶାନନ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ବିତର୍କ ଆରମ୍ଭ କରିଥିଲେ। ଦେଶର ନେତାଙ୍କ ବିରୋଧରେ ଡକ୍ୟୁମେଣ୍ଟାରୀ ରିଲିଜ ହେବାରୁ କେବଳ ଭୟଭୀତ କରିବା ପାଇଁ ରେଡ୍ କରାଯାଇଥିବା ସେ କହିଥିଲେ।
ଲେବର ସାଂସଦ ଫାବିଆନ ହାମିଲଟନ କହିଛନ୍ତି, “ବିବିସି କର୍ମଚାରୀଙ୍କୁ ବଳପୂର୍ବକ ରାତି ତମାମ ଅଫିସରେ ରଖିବା ଓ ସେମାନଙ୍କୁ ଲମ୍ବା ସମୟ ଧରି ପ୍ରଶ୍ନ କରିବା ଅତ୍ୟନ୍ତ ଚିନ୍ତାର ବିଷୟ। ଯେକୌଣସି ଗଣତନ୍ତ୍ରରେ ରାଜନେତାଙ୍କୁ ସମାଲୋଚନା କରିବା ଓ ସେମାନଙ୍କ କାର୍ଯ୍ୟକଳାପକୁ ଯାଞ୍ଚ କରିବା ମିଡିଆର ଅଧିକାର। ଏହି ସମୟରେ କୌଣସି ପ୍ରକାରର ଭୟଭୀତ ହେବା ଦରକାର ନାହିଁ।”
ବ୍ରିଟେନର ପ୍ରଥମ ଶିଖ ସାଂସଦ ତନମନଜୀତ ସିଂହ ଦେହସି ମଧ୍ୟ ବିବିସିର ଦିଲ୍ଲୀ ଓ ମୁମ୍ବାଇ ଅଫିସରେ ଆୟକର ବିଭାଗ ରେଡକୁ ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରଶ୍ନକାଳରେ ବ୍ରିଟିଶ ଶିଖ ସାଂସଦ ତନମନଜୀତ କହିଥିଲେ ଯେ “ବ୍ରିଟେନରେ ଆମେ ଆମର ପ୍ରେସ ସ୍ୱାଧୀନତାକୁ ନେଇ ଗର୍ବିତ। ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ବିବିସି ଡକ୍ୟୁମେଣ୍ଟାରୀ ରିଲିଜ କରିଥିଲା। ଏହାପରେ ରେଡ ହୋଇଛି। ଭାରତ ଗଣତନ୍ତ୍ର ଓ ପ୍ରେସ ସ୍ୱାଧୀନତା ମୂଲ୍ୟବୋଧକୁ ଭଲ ଭାବେ ଜାଣି ମଧ୍ୟ ବିବିସି ଉପରେ ରେଡ କରିଥିବାରୁ ଆମେ ସମସ୍ତେ ଚିନ୍ତିତ।”
ଅନ୍ତର୍ଜାତୀୟ ଟିକସ ଓ ଆର୍ଥିକ କାରବାରରେ ହେରଫେର କରିଥିବା ଅଭିଯୋଗରେ ଆୟକର ବିଭାଗ ବିବିସିର ଦିଲ୍ଲୀ ଓ ମୁମ୍ବାଇ ଅଫିସରେ ରେଡ କରିଥିଲା। ଏହି ସମୟରେ କର୍ମଚାରୀଙ୍କ ମୋବାଇଲ ଫୋନ ଓ ଲ୍ୟାପଟପକୁ ଯାଞ୍ଚ କରାଯାଇଥିଲା। ପ୍ରାୟ ୫୯ ଘଣ୍ଟା ଧରି ଆୟକର ବିଭାଗ ତା’ର ଯାଞ୍ଚ ଜାରି ରଖିଥିଲା। ରେଡ୍ ପରେ ବିବିସି ଗୋଟିଏ ବିବୃତି ଜାରି କରି ତଦନ୍ତରେ ସହଯୋଗ କରିବ ବୋଲି କହିଥିଲା।