‘ଉଚ୍ଛେଦ ବେଳେ ମୃତ୍ୟୁ’ ଗୀତ ଭାଇରାଲ୍‌ ଯୋଗୁଁ ଗାୟିକାଙ୍କୁ ଉତ୍ତର ପ୍ରଦେଶ ପୁଲିସର ନୋଟିସ୍‌

add-all

ଲକ୍ଷ୍ନୌ: କାନପୁରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଥିବା ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବିଦ୍ରୂପ କରି ବ୍ୟାଙ୍ଗାତ୍ମକ ଗୀତ ଗାଇଥିବା ଜଣେ ଜନପ୍ରିୟ ଭୋଜପୁରୀ ଗାୟିକାଙ୍କୁ ଉତ୍ତର ପ୍ରଦେଶ ପୁଲିସ ନୋଟିସ୍‌ ଜାରି କରିଛି।
ସୂଚନାଯୋଗ୍ୟ, ଏହି ଉଚ୍ଛେଦ ବେଳେ ଜଣେ ମାଆ ଓ ଝିଅଙ୍କର ମୃତ୍ୟୁ ଘଟିଥିଲା। ମୃତ ମାଆ ଓ ଝିଅ ହେଉଛନ୍ତି ୪୫ ବର୍ଷୀୟ ପ୍ରମିଳା ଦୀକ୍ଷିତ ଓ ୨୦ ବର୍ଷୀୟ ନେହା। ଗତ ସପ୍ତାହରେ ସେମାନେ ଶୋଇଥିବା ବେଳେ ପୁଲିସ କୁଡ଼ିଆରେ ନିଆଁ ଲାଗାଇ ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗାୟିକା ନେହା ସିଂହ ରାଠୋର୍‌ ତାଙ୍କର ଜନପ୍ରିୟ ଗୀତ ‘ୟୁପି ମୈଁ କା ବା’ ଗୀତର ସ୍ବରରେ ପକାଇ ଗାଇଥିବା ଗୋଟାଏ ଗୀତ ନିକଟ ଅତୀତରେ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିଥିଲେ।
ଗୀତଟି ସମାଜରେ ଅସହାବସ୍ଥାନ ଓ ଉତ୍ତେଜକ ପରିସ୍ଥିତି ସୃଷ୍ଟି କରୁଛି କହି ଉତ୍ତର ପ୍ରଦେଶ ପୁଲିସ ଗାୟିକାଙ୍କ ଦୁଆରେ ହାଜର ହୋଇଥିଲା। ଏ ଗୀତ ଓ ଏହାର ପ୍ରଯୋଜନା ବିଷୟକୁ ଆଧାର କରି ରାଠୋର୍‌ଙ୍କୁ ଗୁଡ଼ାଏ ପ୍ରଶ୍ନ ପଚରାଯାଇଛି ଏବଂ ସେ ସବୁର ଉତ୍ତର ଦେବାକୁ ତାଙ୍କୁ ୩ ଦିନ ସମୟ ଦିଆଯାଇଛି।
ପୁଲିସ ତାଙ୍କୁ ପଚାରିଛି ଯେ, ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ସେ କି, ନୁହେଁ? ଗୀତଟି ସେ ରଚନା କରିଛନ୍ତି କି, ନାହିଁ? ଗୀତର ତଥ୍ୟାବଳିକୁ ସେ ବିଶ୍ବାସ କରନ୍ତି କି, ନାହିଁ? ପୁଲିସ ଆହୁରି ମଧ୍ୟ ପଚାରିଛି ଯେ, ସମାଜ ଉପରେ ଏହି ଭିଡିଓର ପ୍ରତିକୂଳ ପ୍ରଭାବ ସମ୍ବନ୍ଧରେ ସେ ସଚେତନ ଥିଲେ ନା, ନାହିଁ?
ଉତ୍ତର ପ୍ରଦେଶ ପୁଲିସ ତାଙ୍କ ପ୍ରତି ଜାରି କରିଥିବା ନୋଟିସ୍‌ରେ ଉଲ୍ଲେଖ ଅଛି, ଏହି ଗୀତ ସମାଜରେ ଶତ୍ରୁତା ଓ ଉତ୍ତେଜନା ସୃଷ୍ଟି କରିଛି। ତେଣୁ, ଏହି ମାମଲାରେ ଆପଣ ସ୍ପଷ୍ଟୀକରଣ ଦେବାକୁ ଆଇନତଃ ବାଧ୍ୟ। ସଥିପାଇଁ, ନୋଟିସ ପାଇବାର ୩ ଦିନ ମଧ୍ୟରେ ଆପଣ ଜବାବ ଦାଖଲ କରିବା ଆବଶ୍ୟକ। ଆପଣଙ୍କ ଉତ୍ତର ସନ୍ତୋଷଜନକ ମନେ ନ ହେଲେ, ମାମଲା ରୁଜୁ କରାଯାଇ ବିହିତ ତଦନ୍ତ କରାଯିବ।

ad-week
Leave A Reply

Your email address will not be published.