ରାଜ୍ୟରେ ଆରମ୍ଭ ହେଲାଣି ଗ୍ରିଷ୍ମ ପ୍ରବାହ…

add-all

ଭୁବନେଶ୍ବର: ଫେବୃଆରୀରେ ପ୍ରବଳ ଖରା। ଟାଇଁ ଟାଇଁ ଖରାରେ ବଢୁଛି ତାତି। ସକାଳ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ଛୁଇଁଛି। ଗତକାଲି ଭୁବନେଶ୍ୱରରେ ତାପମାତ୍ରା ପାର କରିଥିଲା ୩୮ ଡିଗ୍ରୀ। ବିଗତ ଦିନରେ ଏହି ୪ର୍ଥ ସର୍ବାଧିକ ତାପମାତ୍ରା ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଫେବୃଆରୀ ମାସରେ ଏହି ତାତି ଅସ୍ୱାଭାବିକ ନୁହେଁ ବୋଲି କୁହାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିଛି। ଆଗାମୀ ପାଞ୍ଚଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରାଯାଇଛି।

ଦିନରେ ବଢୁଛି ଗରମ। କିନ୍ତୁ ରାତିରେ କମୁଛି ତାପମାତ୍ରା। ଗୁରୁଚାପ ବଳୟ ପ୍ରଭାବରେ ଦେଶର ପଶ୍ଚିମ ଭାଗରୁ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଶୁଷ୍କ ବାୟୁ ସୂର୍ଯ୍ୟକିରଣ ପ୍ରଭାବରେ ଆସିବା ପରେ ବଢୁଛି ତାପମାତ୍ରା। କିନ୍ତୁ ବାୟୂମଣ୍ଡଳରେ ଆଦ୍ରତା କମ୍‌ ରହୁଥିବାରୁ ରାତିର ତାପମାତ୍ରା କମୁଛି। ଏଭଳି ସ୍ଥିତି ଆଗାମୀ ୩ରୁ ୪ଦିନ ରହିବ ବୋଲି କୁହାଯାଇଛି। ଫେବୃଆରୀ ମାସର ତାତି ଚିନ୍ତାରେ ପକାଇଛି। ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ସ୍ଥିତି ଅସମ୍ଭାଳ ହେବ ବୋଲି ଆଶଙ୍କା ବଢିଲାଣି। ଅକ୍ଟୋବର ମାସ ପରଠାରୁ ରାଜ୍ୟରେ ବର୍ଷା ମଧ୍ୟ ହୋଇନଥିବାରୁ ମଧ୍ୟ ତାପମାତ୍ରା ବୃଦ୍ଧିର କାରଣ ପାଲଟିଛି।

ad-week
Leave A Reply

Your email address will not be published.