ଭାରତରେ ପହଞ୍ଚିଲେ ଜର୍ମାନ୍‌ ଚାନ୍‌ସେଲର୍‌…

add-all

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ତ ଆଗରୁ ସୁସମ୍ପର୍କ ରହିଛି ଏବଂ ମୋର ଏହି ଦୁଇଦିନିଆ ଗସ୍ତ ତାହାକୁ ଆହୁରି ସୁଦୃଢ଼ କରିବ ବୋଲି ଆଜି ଭାରତରେ ପହଞ୍ଚିଥିବା ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୁଲେତ୍‌ସ୍‌ କହିଛନ୍ତି।

ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଲେତ୍‌ସ୍‌ଙ୍କୁ ପାଛୋଟି ନେଇଥିଲେ। ସେଠାରେ ଜର୍ମାନ୍‌ ନେତା ସୁଲେତ୍‌ସ୍‌ଙ୍କୁ ବର୍ଣ୍ଣାଢ୍ୟ ସ୍ବାଗତ କରାଯାଇଥିଲା।

ଦିଲ୍ଲୀରେ ପହଞ୍ଚିବା ପରେ ସୁଲେତ୍‌ସ୍‌ କହିଲେ, ଭାରତ ଓ ଜର୍ମାନି ମଧ୍ୟରେ ତ ଖୁବ୍‌ ଭଲ ସମ୍ପର୍କ ଅଛି। ମୋର ଆଶା ଯେ, ଆମେ ଏହି ସୁସମ୍ପର୍କକୁ ସୁଦୃଢ଼ କରିବୁ ଓ ଆମ ଦେଶର ବିକାଶ ପାଇଁ ସମସ୍ତ ପ୍ରାସଙ୍ଗିକ ବିଷୟରେ ବିଶଦ୍‌ ଆଲୋଚନା କରିବା ସହିତ ବିଶ୍ବ ଶାନ୍ତି ପାଇଁ ବି ଆଲୋଚନା କରିବୁ।

ଆଞ୍ଜେଲା ମେର୍କେଲ୍‌ ଦୀର୍ଘ ୧୬ ବର୍ଷ ଜର୍ମାନ୍‌ ଚାନ୍‌ସେଲର୍‌ ପଦବୀରେ ରହିବା ପରେ ୨୦୨୧ ଡିସେମ୍ବରରେ ସୁଲେତ୍‌ସ୍‌ ଜର୍ମାନର ନୂଆ ଚାନ୍‌ସେଲର୍‌ ହୋଇଥିଲେ। ଏହା ହେଉଛି ତାଙ୍କର ପ୍ରଥମ ଭାରତ ଗସ୍ତ।

ମୋଦୀ-ସୁଲେତ୍‌ସ୍‌ଙ୍କ ଆଲୋଚନା ପ୍ରସଙ୍ଗରେ ଜାଣିଥିବା ବ୍ୟକ୍ତିମାନଙ୍କଠାରୁ ସୂଚନା ମିଳିଛି ଯେ, ଏହି ଆଲୋଚନାରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରମୁଖ ବିଷୟ ହୋଇପାରେ।

ଏହାଛଡ଼ା, ବାଣିଜ୍ୟ, ପ୍ରତିରକ୍ଷା, ପ୍ରଦୂଷଣ ରହିତ ଶକ୍ତି, ଜଳବାୟୁ ପରିବର୍ତ୍ତନ ଏବଂ ନୂଆ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବେ।

ସେହିପରି, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସାମଗ୍ରିକ ପରିସ୍ଥିତ ପ୍ରସଙ୍ଗରେ ମଧ୍ୟ ସେମାନେ ଆଲୋଚନା କରିବେ। ଗତ କେତେ ବର୍ଷ ହେବ ସେଠାରେ ଚୀନା ଆଧିପତ୍ୟ ବୃଦ୍ଧି ପାଇବାରେ ଲାଗିଛି।

ad-week
Leave A Reply

Your email address will not be published.