ସୀମାରେ ଚାଲିଛି ଛକାପଞ୍ଝା, ପ୍ରଥମଥର ଭାରତ ଆସିବେ ଚାଇନିଜ ବିଦେଶ ମନ୍ତ୍ରୀ…

add-all

ନୂଆଦିଲ୍ଲୀ : ଏଲଏସିରେ ଛକାପଞ୍ଝା ଓ ତିକ୍ତତା ଚାଲିଥିବା ବେଳେ ଭାରତ ଆସିବେ ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗଙ୍ଗ। ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ସୃଷ୍ଟି ହେବା ପରେ ପ୍ରଥମଥର ପାଇଁ ଚାଇନାର ବୈଦେଶିକ ମନ୍ତ୍ରୀ ନୂଆଦିଲ୍ଲୀ ଆସିବେ। ଜି-୨୦ ଶିଖର ସମ୍ମିଳନୀ ଅବସରରେ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ହେବ। ଏହି ବୈଠକରେ ଯୋଗଦେବାକୁ ଗଙ୍ଗ ଭାରତ ଗସ୍ତରେ ଆସିବେ ବୋଲି ଆଜି ଚାଇନା ସରକାର ସ୍ପଷ୍ଟ କରିଛନ୍ତି।
ଚାଇନିଜ ବିଦେଶ ମନ୍ତ୍ରଣାଳୟର ଅଧିକାରୀ ମାଓ ନିଙ୍ଗ କହିଛନ୍ତି, ଜି-୨୦ ଦେଶଗୁଡ଼ିକ ବିଶ୍ୱ ଅର୍ଥନୀତିକୁ ସେମାନଙ୍କ ବୈଠକରେ ମୁଖ୍ୟ ପ୍ରସଙ୍ଗ କରିବା ଦରକାର। ଚାଇନା ସବୁବେଳେ ସବୁ ପକ୍ଷଙ୍କ ସହ କାମ କରିବାକୁ ପ୍ରସ୍ତୁତ ରହିଛି। ଜି-୨୦ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗାଦେଇ ଚାଇନା ଗୋଟିଏ ସକାରାତ୍ମକ ବାର୍ତ୍ତା ଦେବାକୁ ଚାହୁଁଛି। ଚାଇନାର ବିଦେଶ ମନ୍ତ୍ରୀ ବୈଠକରେ ଯୋଗଦେବାକୁ ଭାରତ ଯିବେ।”
ଏଲଏସିରେ ଚାଇନା ‌ଏକତରଫା ଭାବେ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଥିବାରୁ ଏହାକୁ ଭାରତର ସରକାର ବିରୋଧ କରିଆସୁଛନ୍ତି। ଚାଇନାକୁ ତା’ର ଉତ୍ତେଜନାମୂଳକ ଆଭିମୁଖ୍ୟ ପାଇଁ ଉଚିତ ଜବାବ ଦିଆଯିବ ବୋଲି ଦିନକ ତଳେ ଭାରତ ସରକାର କହିଥିଲେ। ଏହି ଘଟଣାର ଦିନକ ପରେ ଚାଇନିଜ ସରକାର ଗଙ୍ଗ ଭାରତ ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି।
ଭାରତ ଓ ଚାଇନା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକ ସମୟରେ ସେ ତାଙ୍କ ଚାଇନିଜ ପ୍ରତିପକ୍ଷଙ୍କ ସହ ସୀମା ସୁରକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
୨୦୧୯ରେ ଶେଷଥର ପାଇଁ ତତ୍କାଳୀନ ଚାଇନିଜ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଆସିଥିଲେ। ଏବେ ତାଙ୍କ ଉତ୍ତରାଧିକାରୀ ଭାବେ ଦାୟିତ୍ୱ ନେଇଥିବା ଗଙ୍ଗ ମାର୍ଚ୍ଚ ମାସରେ ଭାରତ ଗସ୍ତରେ ଆସିବେ।

ad-week
Leave A Reply

Your email address will not be published.