
ଭୋପାଳ: ଫୋନ୍ରେ ନୁହେଁ ତାଙ୍କ ମନରେ ‘ପେଗାସସ୍’ ଥିବା କଥା ଶନିବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି।
ସୂଚନାଯୋଗ୍ୟ, ଇଜ୍ରାଏଲୀୟ ‘ସ୍ପାଏୱେର୍’ ‘ପେଗାସସ୍’ ମାଧ୍ୟମରେ ତାଙ୍କ ଫୋନ୍ କଲ୍ ରେକର୍ଡ କରାଯାଇଛି ବୋଲି ରାହୁଲ୍ ଗାନ୍ଧୀ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଦେଇଥିବା ବକ୍ତୃତାରେ କହିଥିଲେ।
ଗଣମାଧ୍ୟମକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, ‘ପେଗାସସ୍’ ଫୋନ୍ରେ ନାହିଁ, ରାହୁଲ୍ ଗାନ୍ଧୀଙ୍କ ମନରେ ଅଛି। ‘ପେଗାସସ୍’ କଂଗ୍ରେସର ଅସ୍ଥିମଜ୍ଜାଗତ ହୋଇଯାଇଛି। ରାହୁଲ୍ ଗାନ୍ଧୀଙ୍କ ବୁଦ୍ଧିମତା ଦେଖି ମୋର ଦୟା ଆସୁଛି। ସେ ବିଦେଶକୁ ଯାଇ ଆମ ଦେଶ ବିରୋଧରେ କହୁଛନ୍ତି। ବିଦେଶୀ ଦୂତାବାସକୁ ଯାଇ ସେ ଭାରତ ବିରୋଧରେ କହୁଛନ୍ତି। ବିଦେଶରେ ଭାରତକୁ ବଦନାମ କରିବା ଲାଗି ଏଇଟା କଂଗ୍ରେସର ନୂଆ ‘ଆଜେଣ୍ଡା’।
ବିଦେଶରେ ଦେଶକୁ ସମାଲୋଚନା କରିବା ଜାତୀୟତା ବିରୋଧୀ ପଦକ୍ଷେପ। ତେଣୁ, ଦେଶ ଓ ଦେଶବାସୀ ରାହୁଲ୍ଙ୍କୁ କେବେ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି।
ଏହାଛଡ଼ା, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ‘ମୁଖ୍ୟମନ୍ତ୍ରୀ ଲାଡ୍ଲୀ ବେହନା ଯୋଜନା’ ସଂକ୍ରାନ୍ତରେ ପ୍ରଶ୍ନ ପଚାରି ଚୌହାନ୍ କହିଛନ୍ତି, ମୁଁ ଗୁରୁତ୍ବର ସହ ପଚାରୁଛି। ନାଥ ଏହାର ଉତ୍ତର ଦିଅନ୍ତୁ। ପୂର୍ବରୁ ମଧ୍ୟ ମୁଁ ଏ କଥା ପଚାରି କୌଣସି ଉତ୍ତର ପାଇନାହିଁ। ୨୦୧୭ରେ ଆମେ ବୈଗା, ଭାରିଆ ଓ ସାହାରିୟା ଜନଜାତି ମହିଳାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରେ ୧୦୦୦ ଟଙ୍କା ଲେଖାଏଁ ଜମା କରିବା ଆରମ୍ଭ କରିଥିଲୁ। ତା’ଦ୍ବାରା ସେମାନଙ୍କ ପିଲାମାନଙ୍କର ଉଚିତ ପାଳନପୋଷଣ କରାଯାଇ ପାରବ। ୨୦୧୮ ପର୍ଯ୍ୟନ୍ତ ତାହା ଚାଲିଥିଲା। କିନ୍ତୁ, କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ଆପଣ ତାହା ବନ୍ଦ କରିଦେଲେ କାହିଁକି? ଆଜି ସେ ସମ୍ପ୍ରଦାୟର ମହିଳାମାନେ ଆପଣଙ୍କୁ ଏ ପ୍ରଶ୍ନ ପଚାରୁଛନ୍ତି?