ହରିହର ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’

youtube

କଟକ: ବହୁଳ ପ୍ରସାରିତ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ପ୍ରଦାନ କରାଯାଉଥିବା ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ୨୦୨୨ ବର୍ଷ ପାଇଁ ବର୍ଷୀୟାନ, ଲବ୍ଧପ୍ରତିଷ୍ଠିତ କବି, ସ୍ବନାମଧନ୍ୟ ନାଟ୍ୟକାର, ଗାଳ୍ପିକ, ସମାଲୋଚକ ତଥା ସାରଳା ପୁରସ୍କାରପ୍ରାପ୍ତ ହରିହର ମିଶ୍ରଙ୍କୁ ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରବନ୍ଧ ବିଭାଗରେ ଡ. ଶ୍ରୀଶ ପଟେଲ, ଗଳ୍ପ ପାଇଁ ସୀତେଶ ତ୍ରିପାଠୀ ଓ କବିତାରେ ସୌଭାଗ୍ୟବନ୍ତ ମହାରଣାଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୨’ ପ୍ରଦାନ କରାଯିବ। ଶିଶୁଗଳ୍ପରେ ଅଶୋକ କୁମାର ପ୍ରଧାନ ଓ ପ୍ରଶାନ୍ତ କୁମାର ନାଥଙ୍କୁ ଶିଶୁକବିତା ପାଇଁ ସମ୍ବର୍ଦ୍ଧିତ କରାଯିବ। ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ରେ ଏକ ଲକ୍ଷ ଟଙ୍କାର ପୁରସ୍କାର ସହ ଉପାୟନ ଓ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ପ୍ରତିଭାମାନଙ୍କୁ ଦଶ ହଜାର ଟଙ୍କା ସହିତ ଉପାୟନ ପ୍ରଦାନ କରାଯିବ।

ଏଥିପାଇଁ ଗଠିତ ବିଚାରକମଣ୍ଡଳୀର ବୈଠକ ଶନିବାର ‘ସମାଜ’ ସମ୍ପାଦକ ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଚାରକ ମଣ୍ଡଳୀଙ୍କ ଦ୍ବାରା ‘ସତ୍ୟବାଦୀ ସାରସ୍ବତ ସମ୍ମାନ’ ପାଇଁ ବିଶିଷ୍ଟ ସାହିତ୍ୟିକମାନଙ୍କଠାରୁ ଆହ୍ବାନ କରାଯାଇଥିବା ମତାମତ ଭିତ୍ତିରେ ନିଷ୍ପତ୍ତି ନିଆଯାଇଥିଲା। ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାର ସମ୍ପାଦକ ଶ୍ରୀ ରଥଙ୍କ ଦ୍ବାରା ଗଠିତ ବିଚାରକମଣ୍ଡଳୀରେ ଡ. ପ୍ରଫୁଲ୍ଲ କୁମାର ମିଶ୍ର, ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ,
ଆକାଶବାଣୀ ରେଡ଼ିଓର ନିର୍ଦେଶକ ତରୁଣକାନ୍ତି ରାଉତ, ପ୍ରାଧ୍ୟାପକ ସୁଶୀଲ କୁମାର ପ୍ରଧାନ, ଇଂ. ପ୍ରଭାକର ସ୍ବାଇଁ, ଉତ୍କଳ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ରମେଶ ଚନ୍ଦ୍ର ମଲ୍ଲିକ, ଡଃ ବ୍ରଜମୋହନ ମିଶ୍ର, ଡ଼ଃ ବିଜୟାନନ୍ଦ ସିଂ ଓ ଡଃ କଇଳାଶ ପଟ୍ଟନାୟକ ପ୍ରମୁଖ ଥିଲେ।

ଚଳିତ ବର୍ଷ ଆସନ୍ତା ଅପ୍ରେଲ ୨ ତାରିଖ ରବିବାର କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ‘ସାରଳା ଭବନ’ରେ ପୂର୍ବାହ୍ଣ ଘ୧୦.୩୦ଟାରେ ଅନୁଷ୍ଠିତ ହେବାକୁ ଥିବା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସପ୍ତମ ବାର୍ଷିକ ସମାରୋହରେ ଏହି କୃତବିଦ୍ୟ ସାରସ୍ବତ ସାଧକମାନଙ୍କୁ ସମ୍ମାନିତ କରାଯିବ।

Leave A Reply

Your email address will not be published.