ଲୋକେ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ: ଅମିତ ଶାହ

add-all

ନୂଆଦିଲ୍ଲୀ: ଏ ଘଟଣା ତଦନ୍ତ କରିବା ଲାଗି ସୁପ୍ରିମ୍‌ କ‌ୋର୍ଟ କମିଟି ଗଠନ କରି ସାରିଛନ୍ତି ଏବଂ ଲୋକେ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ ବୋଲି ଶୁକ୍ରବାର ଦିନ ଆଦାନି ବିବାଦ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୨୩’ରେ କହିଛନ୍ତି।

ସୂଚନାଯୋଗ୍ୟ, ଆଦାନି ଏଣ୍ଟର୍‌ପ୍ରାଇଜ୍‌ ବିରୋଧରେ ହିଣ୍ଡେନ୍‌ବର୍ଗ ରିପୋର୍ଟରେ ଆଗତ କରାଯାଇଥିବା ଅଭିଯୋଗଗୁଡ଼ିକର ତଦନ୍ତ ଲାଗି ମିଳିତ ସଂସଦୀୟ କମିଟି ପାଇଁ କଂଗ୍ରେସ ଦାବି କରି ଆସୁଛି।

ଆଦାନିଙ୍କ ବିରୋଧରେ ଅଭିଯୋଗ ଏବଂ ଆଦାନି ଓ ମୋଦୀ ସରକାରଙ୍କ ମଧ୍ୟରେ ଗୁପ୍ତ ରାଜିନାମା ସଂକ୍ରାନ୍ତରେ ପଚରା ଯିବାରୁ ଶାହ କହିଲେ ଯେ, ଏ ପ୍ରସଙ୍ଗର ଆମ ସରକାର ସହିତ କୌଣସି ସମ୍ପୃକ୍ତି ବା ଅନିଶ୍ଚିତତା ନାହିଁ। ଘଟଣା ତଦନ୍ତ କରିବା ଲାଗି ସୁପ୍ରିମ୍‌ କୋର୍ଟ କମିଟି ଗଠନ କରିଛନ୍ତି ଏବଂ ଜନସାଧାରଣ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ।

ଏହାଛଡ଼ା, ‘ବିଜେପି’ ଓ ‘କଂଗ୍ରେସ’ ମଧ୍ୟରେ ସଦାସର୍ବଦା ସଂଘର୍ଷ ଓ ପ୍ରତିବାଦ ଲାଗି ରହୁଥିବାରୁ ସଂସଦ କାର୍ଯ୍ୟକଳାପ ଅଚଳ ହେବା ସମ୍ପର୍କରେ ବି ସେ କହିଛନ୍ତି। ତାଙ୍କ କହିବା ଅନୁସାରେ, ବିରୋଧୀ ଦଳ ଆଲୋଚନା କରି ବୁଝାମଣାରେ ଉପନୀତ ହେଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ। ଦୁଇ ପକ୍ଷ ବାଚସ୍ପତିଙ୍କ ସମ୍ମୁଖରେ ବସି ଆଲୋଚନା କରନ୍ତୁ। ସେମାନେ ଦୁଇ ପାଦ ଅଗ୍ରସର ହେଲେ ଆମେ ବି ଦୁଇ ପାଦ ଅଗ୍ରସର ହେବୁ। ତେବେ ଯାଇ ସଂସଦ ଚାଲିବ। କିନ୍ତୁ, ସେମାନେ ଖାଲି ସାମ୍ବାଦିକ ସମ୍ମିଳନୀ ଛଡ଼ା କିଛି କରୁ ନାହାନ୍ତି। ଏମିତିରେ କାର୍ଯ୍ୟ ହେବ ନାହିଁ।

ଆମ ଉପକ୍ରମ ସତ୍ତ୍ବେ ଆଲୋଚନା ନିମନ୍ତେ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରସ୍ତାବ ଆସୁନାହିଁ। ଆମେ କାହା ସହିତ ଆଲୋଚନା କରିବୁ? ସେମାନେ ଗଣମାଧ୍ୟମ ଆଗରେ କହୁଛନ୍ତି। ସଂସଦରେ ବାକ୍‌ ସ୍ବାଧୀନତା ରହିବା ଉଚିତ ବୋଲି ସ୍ଲୋଗାନ୍‌ ସୃଷ୍ଟି କରିଛନ୍ତି। ସଂସଦରେ ତ ସମ୍ପୂର୍ଣ୍ଣ ବାକ୍‌ ସ୍ବାଧୀନତା ରହିଛି। କହିବାରୁ ଆପଣଙ୍କୁ କେହି ନିବୃତ୍ତ କରିପାରିବେ ନାହିଁ ବୋଲି ଅମିତ ଶାହ କହିଛନ୍ତି।

ad-week
Leave A Reply

Your email address will not be published.