ନକଲି ରେଡ୍‌ରେ ସାମିଲ ଥିବା ୩ ଜଣ ଜିଏସ୍‌ଟି ଇନ୍ସପେକ୍ଟର ଚାକିରିରୁ ବିଦା

add-all

ମୁମ୍ବାଇ : ମହାରାଷ୍ଟ୍ରରେ ଘଟିଛି ବଡ଼ ଘଟଣା। ରାଜ୍ୟର ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ବିଭାଗର ମୁଖ୍ୟ ରାଜୀବ ମିତ୍ତଳ ବଡ଼ ପଦକ୍ଷେପ ନେଇଛନ୍ତି। ସେ ନକଲି ରେଡ୍‌ରେ ସାମିଲ ଥିବା ୩ ଜଣ ଜିଏସ୍‌ଟି ଇନ୍ସପେକ୍ଟରକୁ ଚାକିରିରୁ ବିଦା କରିଛନ୍ତି। ଏମାନେ ନକଲି ରେଡରେ ସାମିଲ ହେବା ସହ ଜଣେ ବଡ଼ ଟ୍ରେଡରଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଲୁଟ କରିଥିଲେ।
ତେଣୁ ସେମାନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ରାଜ୍ୟ ଇତିହାସରେ ପ୍ରଥମଥର ପାଇଁ ଖବରକାଗଜରେ ବିଜ୍ଞାପନ ଦେଇ ୩ ଜିଏସ୍‌ଟି ଇନ୍ସପେକ୍ଟରଙ୍କୁ ବିଦା କରାଯିବା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି।
ଶ୍ରୀ ମିତ୍ତଲ ଏପରି ବହିଷ୍କାର ଖବରକୁ ନିଶ୍ଚିତ କରିଛନ୍ତି। ୩ ଅଧିକାରୀଙ୍କୁ ତତ୍କାଳ ଭାବେ ସେବା ନିବୃତ୍ତ କରାଯାଇଛି। ଏହା ପୂର୍ବରୁ ସମସ୍ତ ପ୍ରକାରର ପ୍ରଶାସନିକ ଓ ଆଇନ ଗତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଚାକିରିରୁ ବିଦା ହୋଇଥିବା ୩ ଅଧିକାରୀଙ୍କ ବିରୋଧରେ ପୁଲିସ ତଦନ୍ତ ଜାରି ରହିବ। ନକଲି ରେଡ ସମ୍ପର୍କରେ ଖବର ମିଳିବା ପରେ ୩ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାପରେ ବିଭାଗର ଛବି ଓ ସମ୍ମାନର ସୁରକ୍ଷା ପାଇଁ ସେମାନଙ୍କୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି।
ବହିଷ୍କୃତ ହୋଇଥିବା ୩ ଜିଏସଟି ଇନ୍ସପେକ୍ଟର ହେଲେ- ହିତେଶ ଭାସାଇକର, ମଚିନ୍ଦ୍ର କାଙ୍ଗାନେ ଓ ପ୍ରକାଶ ଶେହଗାର। ଏମାନା ଜଣେ ବଡ଼ ଟ୍ରେଡରଙ୍କ ଠିକଣାରେ ନକଲି ରେଡ କରିଥିଲେ। ଏହାପରେ ସେଠାରୁ ନଗଦ ୧୧ ଲକ୍ଷ ଟଙ୍କା ନେଇ ଆସିଥିଲା। ୨୦୨୧ ମସିହା ସେପ୍ଟେମ୍ବର ୧୭ରେ ଏଲଟି ମାର୍ଗ ପୁଲିସ ଏହି ଘଟଣାରେ ୩ ଜିଏସ୍‌ଟି ଅଧିକାରୀ ଓ ଜଣେ ସାଧାରଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା।
୨୦୨୧ ମସିହା ଜୁନ ୧୪ରେ ୩ ଜିଏସ୍‌ଟି ଇନ୍ସପେକ୍ଟର କାଲବାଦେବୀରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଠିକଣାରେ ପହଞ୍ଚିଥିଲେ। ସେମାନେ ବ୍ୟବସାୟୀ ଲାଲଚାନ୍ଦ ୱାନିଗୋଟାଙ୍କ ଅଫିସରେ ପଶି ନିଜକୁ ଜିଏସ୍‌ଟି ଇନ୍ସପେକ୍ଟର ଭାବେ ପରିଚୟ ଦେଇଥିଲେ। ଏହାପରେ ସେମାନେ ବ୍ୟବସାୟୀଙ୍କୁ ଅଫିସରେ ଥିବା ସବୁ ନଗଦ ଟଙ୍କା ଟେବୁଲ ଉପରେ ରଖିବାକୁ କହିଥିଲେ।
ଏହି ନିର୍ଦ୍ଦେଶ ପରେ କର୍ମଚାରୀମାନେ ମୋଟ ୩୦ ଲକ୍ଷ ଟଙ୍କା ଟେବୁଲ ଉପରକୁ ଆଣିଥିଲେ। ଟଙ୍କା ଦେଖିବା ପରେ ସେମାନେ ୱାନିଗୋଟାଙ୍କୁ ଜିଏସ୍‌ଟି କାଗଜପତ୍ର ମାଗିଥିଲେ ଓ ଶେଷରେ ୧୧ ଲକ୍ଷ ଟଙ୍କା ଜିଏସ୍‌ଟି ବାବଦରେ ଜମା ହେବ କହି ନେଇ ପଳେଇ ଯାଇଥିଲେ।
ୱାନିଗୋଟା ମାଜଗାଓଁରେ ଥିବା ଜିଏସ୍‌ଟି ଅଫିସକୁ ଯାଇ ଛାନଭିନ କରିଥିଲେ। କିନ୍ତୁ ୧୪ ତାରିଖରେ ସେମାନେ କୌଣସି ରେଡ ହୋଇ ନଥିବା ଜାଣିବା ପରେ ସେ ଠକାମୀର ପଡ଼ିଥିବା ଜାଣିଥିଲେ। ଶେଷରେ ସେ ଏଲଟି ମାର୍ଗ ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ୩ ଜିଏସ୍‌ଟି ଇନ୍ସପେକ୍ଟର ଓ ସେମାନଙ୍କ ସହ ଥିବା ଜଣେ ସାଧାରଣ ଲୋକଙ୍କୁ ଗିରଫ କରିଥିଲା।

ad-week
Leave A Reply

Your email address will not be published.