‘ମନ୍‌ କୀ ବାତ୍‌’ରେ ଓଡ଼ିଆ ବୈଜ୍ଞାନିକା ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା କହିଲେ ପ୍ରଧାନମନ୍ତ୍ରୀ

add-all

ନୂଆଦିଲ୍ଲୀ: ଭାରତର ନାରୀ ଶକ୍ତି ସବୁ କ୍ଷେତ୍ରରେ ନେତୃତ୍ବ ଗ୍ରହଣ କରୁଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୯୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ବେଳେ ଓଡ଼ିଆ ବୈଜ୍ଞାନିକା ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା ଉଲ୍ଲେଖ କରିଛନ୍ତି।

ଆଜି ଏକ ନୂତନ ଦୃଷ୍ଟିକୋଣ‌ ନେଇ ଆବିର୍ଭାବ ହେଉଥିବା ଭାରତର ଭବିଷ୍ୟତ କ୍ଷେତ୍ରରେ ମହିଳା ଶକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି କହି ‘କେମିଷ୍ଟ୍ରି’ ଏବଂ ‘କେମିକାଲ୍‌ ଇଞ୍ଜିନିୟରିଙ୍ଗ୍‌’ କ୍ଷେତ୍ରରେ ‘ଭାବା ଆଟୋମିକ୍‌ ରିସର୍ଚ ସେଣ୍ଟର୍‌’ର ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ‘ଆଇୟୁପିଏସି’ର ବିଶେଷ ପୁରସ୍କାର ପାଇଥିବା ଉଲ୍ଲେଖ କରିଛନ୍ତି। ଏହା ଦେଶ ପାଇଁ ଗୌରବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଯୋଜକ ଗୁନୀତ୍‌ ମୋଙ୍ଗା ଏବଂ ନିର୍ଦେଶିକା କାର୍ତିକୀ ଗନ୍‌ସାଲ୍‌ବେସ୍‌ ପ୍ରାମାଣିକ ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍‌ସ୍ପର୍‌ସ୍‌’ ପାଇଁ ‘ଓସ୍କାର୍‌’ ଜିଣି ଦେଶକୁ ଗୌରବାନ୍ବିତ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଟିମ୍‌ ‘ଟି-୨୦ ବିଶ୍ବକପ୍‌’ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନାଗାଲାଣ୍ଡ୍‌ରେ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇ ୨ଜଣ ମହିଳା ବିଧାୟିକା ବିଧାନସଭାରେ ପହଞ୍ଚି ପାରିଛନ୍ତି। ଜାତିସଂଘର ଶାନ୍ତିରକ୍ଷା ସେନାରେ ମଧ୍ୟ ଭାରତ କେବଳ ମହିଳା ପ୍ଲାଟୁନ୍‌ ମୁତୟନ କରିଛି। ମହିଳାମାନେ ସବୁ କ୍ଷେତ୍ରରେ ସାମର୍ଥ୍ୟ ପ୍ରତିପାଦନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନିକଟ ଅତୀତରେ ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଇଥିବା ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍‌ ସୁରେଖା ଯାଦବ ଏବଂ ସିଆଚେନ୍‌ରେ ମୁତୟନ ହୋଇଥିବା ପ୍ରଥମ ମହିଳା ଅଧିକାରୀ କ୍ୟାପ୍ଟେନ୍‌ ଶିବା ଚୌହାନଙ୍କ କଥା ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ad-week
Leave A Reply

Your email address will not be published.