ହିନ୍ଦୀରେ ‘ଦହି’ ଲେଖିବାକୁ ‘ଏଫ୍‌ଏସ୍‌ଏସ୍‌ଏଆଇ’ ନିର୍ଦ୍ଦେଶକୁ ବିରୋଧ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

add-all

ଚେନ୍ନାଇ: ପ୍ୟାକେଟ୍‌ ଉପରେ ଇଂରାଜୀରେ ‘କର୍ଡ’ ନ ଲେଖି ହିନ୍ଦୀରେ ‘ଦହି’ ଲେଖିବାକୁ ଭାରତର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଦେଇଥିବା ନିର୍ଦେଶକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଦୁଗ୍ଧ ଉତ୍ପାଦନକାରୀ ତୀବ୍ର ସମାଲୋଚନା କରି କହିଛନ୍ତି କି, ଅଣହିନ୍ଦୀ ରାଜ୍ୟରେ ହିନ୍ଦୀ ପ୍ରଚଳନ କରିବା ପାଇଁ ଏହା ଗୋଟାଏ ପ୍ରୟାସ।

ଉଲ୍ଲେଖଯୋଗ୍ୟ, ଦହି ପ୍ୟାକେଟ୍‌ ଉପରେ ଇଂରାଜୀରେ ଲେଖା ଯାଇଥିବା ‘କର୍ଡ’ ଏବଂ ତାମିଲ୍‌ରେ ଲେଖାଯାଇଥିବା ‘ତ୍ୟାୟିର୍‌’ ଲେବଲ୍‌ ବଦଳାଇ ହିନ୍ଦୀରେ ‘ଦହି’ ଲେଖାଥିବା ଲେବଲ୍‌ ମାରିବା ପାଇଁ ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ’ (ଏଫ୍‌ଏସ୍ଏସ୍‌ଏଆଇ) ତାମିଲନାଡୁର ଦୁଗ୍ଧ ଉତ୍ପାଦନକାରୀ ସଂଘକୁ ନିର୍ଦେଶ ଦେଇଛି। ଏହାଛଡ଼ା, ଲହୁଣି ଓ ଛେନା ଆଦି ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରରେ ‌ମଧ୍ୟ ଉପରୋକ୍ତ ନିର୍ଦେଶାବଳି ପ୍ରଯୁଜ୍ୟ ବୋଲି କହାଯାଇଛି।
ଏହି ନିର୍ଦେଶକୁ ତାମିଲନାଡୁ ଓ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକର ଦୁଗ୍ଧ ଉତ୍ପାଦନକାରୀ ସଂଘ ବିରୋଧ କରି ‘ଏଫ୍‌ଏସ୍ଏସ୍‌ଏଆଇ’ ଲେଖିଛନ୍ତି ଯେ, ଉତ୍ପାଦ ଉପରେ ଆଞ୍ଚଳିକ ଭାଷା ଲେଖିବାକୁ ସେମାନଙ୍କୁ ଅନୁମତି ମିଳୁ। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ, ଦହି ଭଳି ଦିଶୁଥିବା ସବୁ ଉତ୍ପାଦ କ୍ଷେତ୍ରରେ ‘କର୍ଡ’ ନାମ ବ୍ୟବହାର କରିହେବ। କିନ୍ତୁ, ‘ଦହି’ ହେଉଛି ସ୍ବାଦ ଓ ମାନରେ ଭିନ୍ନ ଏକ ନିର୍ଦ୍ଦିଷ୍ଟ ଉତ୍ପାଦ।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ମଧ୍ୟ ଉପରୋକ୍ତ ନିର୍ଦେଶାବଳିକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଏହା ହେଉଛି ଜବରଦସ୍ତି ହିନ୍ଦୀ ପ୍ରଚଳନ କରିବାର ନିର୍ଲ୍ଲଜ ପ୍ରୟାସ। ଟୁଇଟ୍‌ କରି ସେ ଲେଖିଛନ୍ତି: ‘ବଳପୂର୍ବକ ହିନ୍ଦୀ ପ୍ରଚଳନ କରାଯିବାର ନିର୍ଲ୍ଲଜ ଘୋଷଣା ଦହି ପ୍ୟାକେଟ୍‌ସ୍ତରକୁ ଆସିଗଲାଣି। ଆମ ରାଜ୍ୟରେ ତାମିଲ ଓ କନ୍ନଡ଼କୁ ଉପେକ୍ଷା କରି ଦହି ପ୍ୟାକେଟ୍‌ରେ ହିନ୍ଦୀ ଭାଷାର ଲେବଲ୍‌ ଲଗାଇବାକୁ ଆମକୁ ନିର୍ଦେଶ ଦିଆଯାଉଛି। ଆମ ମାତୃଭାଷା ପ୍ରତି ଏଭଳି ଅସମ୍ମାନ ଲାଗି ଯେଉଁମାନେ ଦାୟୀ ସେମାନେ ଚିରଦିନ ପାଇଁ ଦକ୍ଷିଣରୁ ନିର୍ବାସିତ ହେବେ।’

ad-week
Leave A Reply

Your email address will not be published.