ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା ରୁଜୁ: ଆର୍‌ଏସ୍‌ଏସ୍‌ ସଦସ୍ୟଙ୍କୁ କରିଥିଲେ କୌରବଙ୍କ ସହ ତୁଳନା

add-all

ନୂଆଦିଲ୍ଲୀ: ନିକଟ ଅତୀତରେ ଗୋଟାଏ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି। ରାହୁଲ ଚଳିତବର୍ଷ ଜାନୁଆରି ମାସରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଏହି ମାମଲା ରୁଜୁ ହୋଇଥିବା ସୂଚନା ରହିଛି।
ଉତ୍ତରପ୍ରଦେଶର ହରିଦ୍ୱାର କୋର୍ଟରେ ଆର୍‌ଏସ୍‌ଏସ୍‌ କର୍ମୀ କମଲ ଭାଦୁରିଆଙ୍କ ଅଭିଯୋଗ ପରେ ଓକିଲ ଅରୁଣ ଭାଦୁରିଆଙ୍କ ଦ୍ୱାରା ଏହି ମାମଲା ପଞ୍ଜିକୃତ ହୋଇଛି। ଚଳିତବର୍ଷ ଜାନୁଆରି ୯ ତାରିଖରେ ହରିୟାଣାର ଅମ୍ବଲାରେ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ସମୟ‌ରେ ରାହୁଲ ଆର୍‌ଏସ୍‌ଏସ୍‌ ସଦସ୍ୟମାନଙ୍କୁ ଏକବିଂଶ ଶତାବ୍ଦୀର କୌରବ ବୋଲି କହି ସମ୍ବୋଧନ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ରାହୁଲ ଗାନ୍ଧୀ ଆର୍‌ଏସ୍‌ଏସ୍‌ ସଦସ୍ୟଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘କୌରବ କିଏ? ମୁଁ ଆପଣଙ୍କୁ ଏକବିଂଶ ଶତାବ୍ଦୀର କୌରବମାନଙ୍କ ବିଷୟରେ କହିବି। ସେମାନେ ଖାକି ହାଫ୍‌ ପ୍ୟାଣ୍ଟ୍‌ ପିନ୍ଧନ୍ତି। ହାତରେ ଲାଠି ଧରି ବିଭିନ୍ନ ଆଡ଼େ ଶାଖା ଖୋଲିଛନ୍ତି। ଭାରତର ୨-୩ ନିୟୁତ ସଦସ୍ୟ ସେହି କୌରବଙ୍କ ସହ ଛିଡ଼ା ହୋଇଛନ୍ତି।’ ତେବେ ରାହୁଲଙ୍କ ଏହି ବୟାନକୁ ନେଇ ହୋଇଥିବା ମାମଲାର ଶୁଣାଣି ଏପ୍ରିଲ୍‌ ୧୨ ତାରିଖରେ ହେବ।

ଉଲ୍ଲେଖଯୋଗ୍ୟ, ଗତ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସେ ଆଇପିସିର ଧାରା ୫୦୪ ଅଧୀନରେ ସୁରଟର ଏକ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପରେ ରାହୁଲଙ୍କୁ ଲୋକସଭା ସାଂସଦ ଭାବେ ଅଯୋଗ୍ୟ ଘୋଷିତ ବି କରାଯାଇଛି।

ad-week
Leave A Reply

Your email address will not be published.