ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ୨ ସପ୍ତାହ ବୃଦ୍ଧି

add-all

ନୂଆଦିଲ୍ଲୀ : ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟାୟିକ ହେପାଜତକୁ ଦିଲ୍ଲୀର ଏକ କୋର୍ଟ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ସିବିଆଇ ପକ୍ଷରୁ ଏହି ମାମଲାର ଏବେ ତଦନ୍ତ ଚାଲୁଛି। ଆଜି ସିସୋଦିଆଙ୍କୁ ସିବିଆଇ ଦିଲ୍ଲୀ କୋର୍ଟରେ ହାଜର କରିଥିଲା ଏବଂ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଦୁଇ ସପ୍ତାହ ବୃଦ୍ଧି ପାଇଁ ଆବେଦନ କରିଥିଲା। ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି। କୋର୍ଟ ଏପ୍ରିଲ୍ ୧୭ ପର୍ଯ୍ୟନ୍ତ ଆପର ଏହି ହେବିୱେଟ୍ ନେତାଙ୍କୁ ଜୁଡ଼ିସିଆଲ ରିମାଣ୍ଡରେ ପଠାଇଛନ୍ତି। ଗତ ସପ୍ତାହରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ସିବିଆଇ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି।

ସିସୋଦିଆ ତଦନ୍ତରେ ସହଯୋଗ କରୁନଥିଲେ, ତେଣୁ ତାଙ୍କୁ ଗିରଫ କରାଯାଇଛି। ୨୦୨୧-୨୨ ବର୍ଷ ପାଇଁ ପ୍ରସ୍ତୁତ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ମୁମ୍ବାଇ ସ୍ଥିତ ଏକ ଘରୋଇ କମ୍ପାନୀର ତତ୍କାଳୀନ ସିଇଓ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଡିସେମ୍ବର ୨୫ରେ ଚାର୍ଜସିଟ୍ ଦାଖଲ କରାଯାଇଛି।

ଏହି ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ମନୀଷ ସିସୋଦିଆଙ୍କୁ ଫେବ୍ରୁଆରି ୧୯ରେ ସିବିଆଇ ନୋଟିସ କରିଥିଲା । କିନ୍ତୁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଦର୍ଶାଇ ଏକ ସପ୍ତାହ ସମୟ ମାଗିଥିଲେ ସିସୋଦିଆ । ପରେ ତାଙ୍କୁ ଗିରଫ କରାଯାଇଥିଲା। ସିବିଆଇ ପରେ ତିହାର ଜେଲରେ ତାଙ୍କୁ ଇଡି ମଧ୍ୟ ଗିରଫ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି, ମନୀଷ କୌଣସି ଦୁର୍ନୀତିରେ ସାମିଲ ନାହାନ୍ତି। ତାଙ୍କ ଗିରଫଦାରୀ ଏକ କୁତ୍ସିତ ରାଜନୀତି।

ad-week
Leave A Reply

Your email address will not be published.