
ବାରାମୁଲ୍ଲା: ପୁଲିସ ହେପାଜତରୁ ଖସି ପଳାଇଲେ ଦୁଇଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ବାରାମୁଲ୍ଲାର ଏକ ମଦ ଦୋକାନରେ ହୋଇଥିବା ବୋମା ବିସ୍ଫୋରଣରେ ସମ୍ପୃକ୍ତ ଦୁଇଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ବୁଧବାର ସକାଳେ ପୁଲିସ ହେପାଜତରୁ ଖସି ପଳାଇଥିବା ଜଣାପଡ଼ିଛି।
ମାରୁଫ ନାଜିର ସୋଲେହ ଏବଂ ଶାହିଦ ସୌକତ ବାଲା ନାମକ ଏହି ଦୁଇ ଆତଙ୍କବାଦୀ ମେ ୨୦୨୨ରୁ ପୁଲିସ ହେପାଜତରେ ଥିଲେ।ଦୁହେଁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହିତ ଜଡିତ ଥିବା ଜଣାପଡ଼ିଥିଲା। ପ୍ରାୟ ବର୍ଷେ ହେଲାଣି ଦୁହେଁ ପୁଲିସ ହେପାଜତରେ ଥିବା ବେଳେ ଆଜି ଏଭଳି ଫେରାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ପୁଲିସର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ଦୁଇ ଛଦ୍ମବେଶୀ ଆତଙ୍କବାଦୀଙ୍କୁ ଧରିବା ପାଇଁ ବାରାମୁଲ୍ଲା ଏବଂ ଉତ୍ତର କଶ୍ମୀରର ଅନ୍ୟ ଅଞ୍ଚଳରେ ପୁଲିସ ଦ୍ୱାରା କର୍ଡନ କରାଯାଇ ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଗତ ବର୍ଷ ବାରାମୁଲ୍ଲାର ଏକ ମଦ ଦୋକାନରେ ହୋଇଥିବା ବୋମା ବିସ୍ଫୋରଣରେ ଉଭୟ ଆତଙ୍କବାଦୀ ସମ୍ପୃକ୍ତ ଥିଲେ। ତଦନ୍ତ ପରେ ଦୁହିଁଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବାରୁ ପୁଲିସ ଦୁହିଁଙ୍କୁ ହେପାଜତକୁ ନେଇଥିଲା। ହେଲେ ଆଜି ସକାଳେ ସେମାନେ ଫେରାର ହେବାରେ ସଫଳ ହୋଇଛନ୍ତି।
ଏହି ଘଟଣା ଘଟିବା ପରେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିବା ସହ ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି।