ବଦଳିଗଲା ଶବ..! ଅନ୍ୟ ଜଣକ ମୃତଦେହକୁ ନିଜର ଭାବି ଦାହ କରିଦେଲେ ପରିବାର ଲୋକେ

ସାଲେପୁର: ସରିଲା ଶେଷକୃତ୍ୟ। ଦେଖୁ ଦେଖୁ ପାଉଁଶ ହୋଇଗଲା ଶବ। ଭାଇ ବନ୍ଧୁ କୁଟୁମ୍ବ ଯିଏ ଯାହା ବାଟରେ ଚାଲିଗଲେ। ପରିବାର ଲୋକେ ବି ନିଜର ଲୋକକୁ ମନେପାକାଇ ଘର ଭିତରେ ଗୁମୁରି ଗୁମୁରି କାନ୍ଦୁଥାନ୍ତି। ହେଲେ ହଠାତ୍ ଆସିଲା ଫୋନ୍। ଜଣାପଡିଲା ପରିବାର ଲୋକେ ଯେଉଁ ଶବକୁ ପୋଡିଛନ୍ତି ସେ ଶବ ତାଙ୍କର ନୁହେଁ ଆଉ କାହାର। ଏମିତି ଏକ ଘଟଣା ଏବେ ଦେଖିବାକୁ ମିଳିଛି କଟକ ଜିଲ୍ଲା ନେମାଳ ଥାନା କୁଆଁଶୋଳ ଗାଁରେ ।

ଅନ୍ୟ ଜଣକ ମୃତଦେହକୁ ନିଜର ଭାବି ଶ୍ମସାନରେ ପୋଡ଼ିଦେଲେ ପରିବାର ଲୋକ । ଯାହା ଖବର ମିଳିଛି ମୁମ୍ବାଇରେ କାମ କରୁଥିବା ବେଳେ ମୃତ୍ୟୁବରଣ କରିଥିଲେ
ଗାଁର ବିଳାସ ଭୂୟାଁ । ଦୀର୍ଘବର୍ଷ ହେବ ମୁମ୍ବାଇରେ ଏକ ଘରୋଇ କାର ସୋରୁମରେ ବିଳାସ କାମ କରୁଥିଲେ । ହେଲେ ଗତ ୮ ତାରିଖରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ଯାହାଫଳରେ ସାଙ୍ଗମାନେ ଏକ ଘରୋଇ ହସ୍ପିଟାଲକୁ ବିଳାସଙ୍କୁ ନେଇଥିଲେ । ସେଠି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ବିଳାସଙ୍କ ମୃତଦେହ ଘରକୁ ପଠାଇବା ପାଇଁ ମେଡିକାଲ ତରଫରୁ ବ୍ୟବସ୍ଥା କରାଯାଇଥିଲା । ଆଉ ଶେଷରେ ମୃତଦେହ ଆସି ଗାଁ ପହଁଚିଥିଲା। ହେଲେ ପହଁଚିଥିବା ମୃତଦେହଟି କିନ୍ତୁ ବିଳାସଙ୍କ ନଥିଲା। ଯାହାକୁ ଚିହ୍ନି ନପାରି ଶ୍ମସାନରେ ପୋଡ଼ିଦେଇଥିଲେ ପରିବାର ଲୋକେ । ଏପଟେ ଶବଟିର ମୁହଁରେ ଅବିର ବୋଳାଯାଥିବା ସହ କଳା ପଡିଯାଇଥିବାରରୁ ପରିବାର ଲୋକଙ୍କ ଦ୍ବାରା ଏଭଳି ଭୁଲ୍ ହୋଇଥିବା କୁହାଯାଉଛି।

ତେବେ ସବୁଠୁ ବଡ଼ କଥା ହେଲା ଅନ୍ୟ ଯେଉଁ ମୃତଦେହକୁ ପୋଡ଼ାଯାଇଥିଲା, ତାଙ୍କର ସମ୍ପର୍କୟ ଆଜି ପୋଲିସ ସହାୟତାରେ ଅସ୍ଥି ନେବାକୁ ଆସୁଛନ୍ତି। ଏପଟେ ବିଳାସ ଭୁଆଁଙ୍କ ମୃତଦେହ ଆଜି ଗାଁରେ ପହଁଚିବ ବୋଲି ଶୁଣିବାକୁ ମିଳୁଛି।

ad-week
Leave A Reply

Your email address will not be published.