
ଭୁବନେଶ୍ବର: ନକଲି ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ନକଲି ସାର୍ଟିଫିକେଟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏଠି କିଛି ଲୋକ ପିଲାଙ୍କ ଜୀବନ ଓ ଓଡ଼ିଶାର ଭାଗ୍ୟ ସହ ଖେଳୁଛନ୍ତି, ଆଉ ସରକାର ଅନ୍ଧ, ମୂକ ଏବଂ ବଧିର ହୋଇ ବସିଛନ୍ତି। ସରକାର ଯୁବକଙ୍କ ଜୀବନସହ ଖେଳୁଛନ୍ତି ତାହା ବନ୍ଦ ହେବା ଆବଶ୍ୟକ। ଯେଉଁଠି ସାଧାରଣ ଲୋକ ଓ ପିଲାଙ୍କ ଭବିଷ୍ୟତ ସହିତ ଖେଳାଯାଉଛି, ସେଠାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ସିବିଆଇ ତଦନ୍ତ ହେବା ଦରକାର। ମନ୍ତ୍ରୀ, ତନ୍ତ୍ରୀ ଯିଏ ଥାନ୍ତୁ, ଆଇନର ଉର୍ଦ୍ଧ୍ବରେ କେହି ନୁହେଁ, କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କ ବିରୁଦ୍ଧରେ ହେବା ଉଚିତ।
ବିଜେପି ରାଜ୍ୟ ସଭାପତି ପ୍ରଶ୍ନ କରିଛନ୍ତି, ବିଜେଡି ନେତାଙ୍କ ଯଦି ସମ୍ପୃକ୍ତି ନ ଥାନ୍ତା, ଏତେ ବର୍ଷ ଧରି କେମିତି ନକଲି ସାର୍ଟିଫିକେଟ କାରବାର ଚାଲିଥାନ୍ତା, ଆଉ ଜାଣିଲେନି କାହିଁକି ? ମୁଁ ଯଦି ସରକାର ତେବେ ମୁଁ ଜାଣିପାରିବିନି, ଗୁଇନ୍ଦା କଣ ନାହିଁ, ମୋର ନେଟୱାର୍କ ନାହିଁ, ୨୫ ଟି ଏଜେନ୍ସି ଥାଉଥାଉ ସରକାର ଜାଣିପାରିଲେନି କେମିତି? ବିଜେଡି କଣ ଭଗବାନ ? ଭଗବାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିପାରିବନି, ତାଙ୍କ ଉପରେ କଣ ଅସୁବିଧା ଅଛି କି ? ଚେର ସିପିଏମର ବେଙ୍ଗଲଠୁ ଅଧିକ କେଉଁଠି ଲମ୍ବି ନଥିଲା। ସେ ୩୪ ବର୍ଷ ପରେ ବଙ୍ଗୋସାଗରକୁ ପଳେଇଲା। ଏମାନେ ୨୪ ବର୍ଷ ପରେ ବଙ୍ଗୋପସାଗରକୁ ଯିବେ।