୪୩ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର

add-all

ଭୁ‌ବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡ଼ିଗ୍ରି ରେକର୍ଡ ହୋଇଛି। ଝାରସୁଗୁଡ଼ାବାସୀଙ୍କୁ ତାପମାତ୍ରା ଅଧିକ ଅସ୍ତବ୍ୟସ୍ତ କରିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୧୪ଟି ସହରର ତାପାମାତ୍ରା ୪୦ ଡିଗ୍ରି ଥିବା ‌ବେଳେ ଗୋପାଳପୁର ୨୯ ବର୍ଷର ରେକର୍ଡ ଭଙ୍ଗ କରିଛି।

ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଆଜି ବାରିପଦାରେ ତାପମାତ୍ରା ୪୨.୫, ସମ୍ବଲପୁରରେ ୪୨, ବୌଦ୍ଧ ଓ ତାଳଚେର (୪୧.୬ଡିଗ୍ରି), ବଲାଙ୍ଗୀର ଓ ଟିଟିଲାଗଡ଼ (୪୧.୨ ଡିଗ୍ରି), ଅନୁଗୁଳ, ଭଦ୍ରକ, ସୁନ୍ଦରଗଡ଼, ସୋନପୁର (୪୧ଡିଗ୍ରି), ହୀରାକୁଦ ୪୦.୭, ରାଉରକେଲା ୪୦.୬ ଓ ଚାନ୍ଦବାଲି ୪୦.୩ ଡିଗ୍ରି ରେକର୍ଡ କରାଯାଇଛି।

ଦୀର୍ଘ ୨୯ ବର୍ଷ ପରେ ଗଂଜାମ ଜିଲ୍ଲା ଗୋପାଳପୁରରେ ଆଜି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ୧୯୯୪ ମସିହା ଏପ୍ରିଲ ୧୨ ତାରିଖରେ ସର୍ବକାଳୀନ ରେକର୍ଡ ୩୭.୮ ଡ଼ିଗ୍ରି ଥିଲା। ଆଜି ସେହି ସମାନ ତାରିଖରେରେ ସର୍ବୋଚ୍ଚ ତାପମାତ୍ରା ୩୯.୧ ଡ଼ିଗ୍ରି  ସହ ପୂର୍ବସର୍ବକାଳୀନ ରେକର୍ଡକୁ ଭଙ୍ଗ କରିଛି।

ସକାଳ ୮ଟାରୁ ଖରା ଆରମ୍ଭ ହୋଇଯାଉଛି। ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ନିସ୍ତାର ମିଳୁନାହିଁ। ପଶ୍ଚିମଓଡ଼ିଶାବାସୀଙ୍କୁ ଖରା ଅଧିକ ଯନ୍ତ୍ରଣା ଦେଉଛି। ଦିନ ୯ଟାରୁ ସନ୍ଧ୍ୟା ୪ଟା ଭିତରେ ‌ବାହାରକୁ ଯିବା ଅସହ୍ୟ ହୋଇଯାଉଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୪ ଦିନ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ad-week
Leave A Reply

Your email address will not be published.