ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ…

add-all

ଭୁବନେଶ୍ୱର : ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣି ଶାସକ ବିଜେଡିର ଜଣେ ନେତ୍ରୀ ଆଜି ଦିନତମାମ ଭୁବନେଶ୍ୱରସ୍ଥିତ ମହିଳା ଥାନାରେ ଜିଦ୍ ଧରି ବସିଥିବା ସୂଚନା ମିଳିଛି । 

ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଗତ ଦୁଇମାସ ତଳେ ଶାସକ ଦଳର ସମ୍ପୃକ୍ତ ନେତ୍ରୀ ମହିଳା ଥାନାରେ ମାମଲା ରୁଜୁ ପାଇଁ ଆସିଥିଲେ ମଧ୍ୟ ଶାସକ ଦଳର କିଛି ନେତ୍ରୀ ଓ ଜଣେ ପ୍ରଭାବଶାଳୀ ନେତାଙ୍କ ହସ୍ତକ୍ଷେପରେ ମାମଲା ରୁଜୁ ନକରି ସେ ଘରକୁ ଫେରିଥିଲେ।

ତାଙ୍କୁ ନ୍ୟାୟ ମିଳିବ ବୋଲି ବିଜେଡି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଦୁଇମାସ ବିତିଯାଇଥିଲେ ବି ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଆଜି ପୁଣିଥରେ ମହିଳା ଥାନାକୁ ଆସି ମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଜିଦ୍ ଧରି ବସିଥିଲେ । ସେ ନିଜର ଦୁଇ ଝିଅ ଓ ଜଣେ ସହଯୋଗୀଙ୍କ ସହ ଥାନାକୁ ଆସିଥିବା ସୂଚନା ମିଳିଛି।

ପୁଲିସ ପ୍ରଥମେ ଏହି ମାମଲାକୁ ଏଡ଼ାଇ ଯିବାକୁ ଚାହିଁଥିଲେ ବି ପରବର୍ତ୍ତୀ ସମୟରେ ସମ୍ପୃକ୍ତ ନେତ୍ରୀଙ୍କ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀମାଇନା କରାଇଥିଲା । ରାତି ପ୍ରାୟ ସାଢ଼େ ୯ଟା ସୁଦ୍ଧା ତାଙ୍କର ଏଫଆଇଆରକୁ ରୁଜୁ ପାଇଁ ପୁଲିସ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଥିବାବେଳେ ଅଚାନକ ପୁଲିସ ନିଜର ଆଭିମୁଖ୍ୟ ବଦଳାଇ ତାଙ୍କ ଏଫଆଇଆରକୁ ରୁଜୁ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରିଥିବା ଜଣାପଡ଼ିଛି । ତେବେ ଶାସକ ଦଳର ଚାପରେ ପୁଲିସ ସମୟ ଗଡ଼ାଇବାକୁ ପ୍ରୟାସ କରୁଥିବାବେଳେ ସମ୍ପୃକ୍ତ ନେତ୍ରୀଜଣକ ନିଜ ଜିଦରେ ଅଟଳ ରହିଥିବାରୁ ପୁଲିସ ଏବେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। 

ଅନ୍ୟପକ୍ଷରେ ପୀଡ଼ିତା ନେତ୍ରୀ କହିଛନ୍ତି ଯେ, ମହିଳା ଥାନାରେ ଲିଖିତ ଅଭିଯୋଗ କରିଛି। ଏହା ମୋର ବ୍ୟକ୍ତିଗତ ମାମଲା। ବିଜେଡି ସୁପ୍ରିମୋ ଓ ଆଇନ ଉପରେ ମୋର ଭରସା ରହିଛି। କମ୍ପରମାଇଜ କରିବାର ପ୍ରଶ୍ନ ଉଠୁନି।

ସୂଚନାଯୋଗ୍ୟ, ଉକ୍ତ ବିଜେଡି ନେତ୍ରୀ ଜଣଙ୍କ ଗତ ଦୁଇମାସ ତଳେ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ମଧ୍ୟ ଉକ୍ତ ମାମଲାକୁ ରଫାଦଫା ପାଇଁ ଦଳ ପକ୍ଷରୁ ଉଦ୍ୟମ ହୋଇଥିଲା ।

ad-week
Leave A Reply

Your email address will not be published.