‘‌କ୍ଷେପଣାସ୍ତ୍ର ପ୍ରତିରକ୍ଷା ସମରାଭ୍ୟାସ’ କରିବେ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ

add-all

ସିଓଲ୍: ଉତ୍ତର କୋରିଆର ଆଣବିକ ଓ କ୍ଷେପଣାସ୍ତ୍ର ଧମକକୁ ମୁକାବିଲା କରି ବାଧା ଦେବା ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଓ ବୁଡ଼ାଜାହାଜ-ନିରୋଧୀ ସମରାଭ୍ୟାସ ନିୟମିତ କରିବା ଲାଗି ଆଲୋଚନା କରିଥିବା କଥା ଏକ ମିଳିତ ବିବୃତିରେ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ କହିଛନ୍ତି।

ଶୁକ୍ରବାର ଦିନ ୱାସିଂଟନ୍‌ ଡି.ସି.ରେ ଅନୁଷ୍ଠିତ ‘୧୩ଶ ତ୍ରିପାକ୍ଷିକ ପ୍ରତିରକ୍ଷା ବିତର୍କ‌’ରେ ଏକଥା ଘୋଷଣା କରାଯାଇଛି ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି। କୋରୀୟ ଉପଦ୍ବୀପ ଏବଂ ଆଖପାଖ ଅଞ୍ଚଳର ନିରାପତ୍ତା ପରିସ୍ଥିତି ସଂକ୍ରାନ୍ତ ସମୀକ୍ଷା ବିନିମୟ ଏବଂ ତ୍ରିପାକ୍ଷିକ ନିରାପତ୍ତା ସହଯୋଗ ସୁଦୃଢ଼ କରିବା ଲାଗି ଉପଯୁକ୍ତ ଉପାୟ ନିମନ୍ତେ ଆଲୋଚନା କରିବା ଲାଗି ଉକ୍ତ ବିତର୍କ ଆୟୋଜିତ ହୋଇଥିଲା।

ଅସ୍ଥିରତା ସୃଷ୍ଟିକାରୀ ସମସ୍ତ କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରିବା ୩ ଦେଶର ପ୍ରତିନିଧିମାନେ ଉତ୍ତର କୋରିଆକୁ ଅନୁରୋଧ କରିଛନ୍ତି। ଏହାଛଡ଼ା ସେମାନେ କହିଛନ୍ତି ଯେ, ଯଦି କୌଣସି ଆଣବିକ ପରୀକ୍ଷା କରେ ତେବେ ଉତ୍ତର କୋରିଆ ଆନ୍ତର୍ଜାତିକ ସମୁଦାୟର ନିର୍ଣ୍ଣାୟକ ମୁକାବିଲାର ସମ୍ମୁଖୀନ ହେବ।

ଶୁକ୍ରବାର ଦିନ ଉତ୍ତର କୋରିଆ ‘ହ୍ବାସୋଙ୍ଗ୍‌-୧୮’ ନାମରେ ଗୋଟାଏ କଠିନ ଇନ୍ଧନଭରା ନୂତନ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ର (ଆଇସିବିଏମ୍‌) ବ୍ୟବହାରିକ ପରୀକ୍ଷା କରିବା ପରେ ୩ ରାଷ୍ଟ୍ରଙ୍କର ମିଳିତ ବିବୃତି ଜାରି ହୋଇଛି।

ଏହି ନୂତନ ପ୍ରକାରର ‘ଆଇସିବିଏମ୍‌’ରେ ଉତ୍ତର କୋରିଆ ପ୍ରଥମ ଥର ପାଇଁ କଠିନ ଇନ୍ଧନ ବ୍ୟବହାର କରିଥିବା କଥା ସମୀକ୍ଷକମାନେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି। କଠିନ ଇନ୍ଧନ ଭରା ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’କୁ ନେବା ଆଣିବା କରିବା ଓ ଲୁଚାଇ ରଖିବା ସହଜ। ଏହାକୁ ମଧ୍ୟ ଅପେକ୍ଷାକୃତ ଶୀଘ୍ର ନିକ୍ଷେପ କରାଯାଇ ପାରିବ। ଫଳତଃ ଏହାକୁ ଠାବ କରି ପ୍ରତିଆକ୍ରମଣ କରିବା ଲାଗି ଶତ୍ରୁପକ୍ଷ ସୁଯୋଗ ଓ ସମୟ ପାଇବ ନାହିଁ।

ସୂଚନାଯୋଗ୍ୟ, ୨୦୨୨ ମସିହା ପ୍ରାରମ୍ଭରୁ ଏଯାବତ୍‌ ଉତ୍ତର କୋରିଆ ସମୁଦ୍ର ମଧ୍ୟକୁ ଶତାଧିକ ‌‌କ୍ଷେପଣାସ୍ତ୍ର ନିକ୍ଷେପ କରି ସାରିଲାଣି।

ad-week
Leave A Reply

Your email address will not be published.