ପଶ୍ଚିମବଙ୍ଗରେ ୩୫ ଆସନ ପାଇଁ ଅମିତ ଶାହଙ୍କ ଆହ୍ବାନକୁ ସମାଲୋଚନା କଲା ତୃଣମୂଳ କଂଗ୍ରେସ

add-all

କୋଲ୍‌କାତା: ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ୩୫ ଆସନ ଦେବା ପାଇଁ ଆହ୍ବାନ ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ କହିଛି ଯେ, ଏଥର ବି ‘ବିଜେପି’ ପୁଣି ହାରିବ।

ଶୁକ୍ରବାର ଦିନ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଆୟୋଜତି ଏକ ରାଲିରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରଶଂସା କରିବା ସହିତ ଅମିତ ଶାହ କହିଥିଲେ, ୨୦୨୪ରେ ଆମକୁ ୩୫ଟି ଆସନ ଦିଅନ୍ତୁ। ମମତା ବାନାର୍ଜୀ ସରକାର କ୍ଷମତାଚ୍ୟୁତ ହେବ। ପଶ୍ଚିମବଙ୍ଗରେ ଦୁର୍ନୀତି ଚାଲିଛି। କେବଳ ‘ବିଜେପି’ ହିଁ ଦୁର୍ନୀତିକୁ ରୋକି ପାରିବ।

ଅମିତ ଶାହଙ୍କୁ ପାଲଟା ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ ଜାରି କରିଥିବା ବିବୃତିରେ କହିଛି, ବୀରଭୂମରେ ଆୟୋଜିତ ସାଧାରଣ ସଭାରେ ଶାହ କହିଲେ ଯେ, ବଙ୍ଗ ସରକାର ରାମନବମୀ ‌ଶୋଭାଯାତ୍ରା ଅବରୋଧ କରୁଛନ୍ତି। କିନ୍ତୁ, ଏହି ରାଲିରେ ‘ବିଜେପି’ ନେତାମାନେ କାହିଁକି ବନ୍ଧୁକ ଓ ଖଣ୍ଡା ବୁଲାଉଥିଲେ, ସେ ବିଷୟରେ ଶାହ ନିରବ ରହିଲେ।  ବିହାରର ମୁଙ୍ଗେର୍‌ରୁ ହାୱଡ଼ା ପୁଲିସଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ସୁମିତ ଶ’ଙ୍କର ‘ବିଜେପି’ ସହିତ ଥିବା ସମ୍ପର୍କ ବିଷୟରେ ମଧ୍ୟ ଶାହ କିଛି କହିଲେ ନାହିଁ।

ଏହାଛଡ଼ା, ୨୦୨୧ ବିଧାନସଭା ନିର୍ବାଚନରେ ବିଫଳ ଭବିଷ୍ୟବାଣୀ କରିଥିବା ଶାହଙ୍କୁ ମଧ୍ୟ ‘ତୃଣମୂଳ କଂଗ୍ରେସ’ ସମାଲୋଚନା କରିଛି। ‘ତୃଣମୂଳ କଂଗ୍ରେସ’ କହିଛି, ପଶ୍ଚିମବଙ୍ଗରୁ ୩୫ ଆସନ ପାଇଁ ‘ବିଜେପି’ ଆହ୍ବାନ ଦେଇଛି।  ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଶାହ କହିଲେ ଯେ, ଏଥର ‘ବିଜେପି’ ୨୦୦ରୁ ଅଧିକ ଆସନ ଜିଣିଯିବ। (ଅବ୍‌ କୀ ବାର୍‌ ୨୦୦ ପାର୍‌)। କିନ୍ତୁ, ‘ବିଜେପି’ ୩ ଅଙ୍କବିଶିଷ୍ଟ ସଂଖ୍ୟା ବି ହାସଲ କରିପାରିଲା ନାହିଁ। ଆଗାମୀ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ବି ‘ବିଜେପି’ ସମାନ ପରିଣତି ଭୋଗିବ।

ad-week
Leave A Reply

Your email address will not be published.