ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ – କେ. ଅନ୍ନାମଲାଇ 

add-all

ଚେନ୍ନାଇ: ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗ ପାଇଁ କ୍ଷମାଭିକ୍ଷା କରିବା ଏବଂ କ୍ଷତିପୂରଣ ବାବଦକୁ ୫୦୦ କୋଟି ଟଙ୍କା ଭରଣା କରିବା ପାଇଁ ‘ଲିଗାଲ୍‌ ନୋଟିସ୍‌’ ପାଇବା ପରେ ଆଜି ତାମିଲନାଡୁ ‘ବିଜେପି’ ନେତା କେ. ଅନ୍ନାମଲାଇ କହିଛନ୍ତି ଯେ, ସେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଅଛନ୍ତି।
ଟୁଇଟର୍‌ ପେଜ୍‌ରେ ଅପ୍‌ଲୋଡ୍‌ ହୋଇଥିବା ‘ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରସ୍ତୁତ ଶୀର୍ଷକ’ ବିବୃତିରେ ରାଜ୍ୟ ‘ବିଜେପି’ ସଭାପତି ଅନ୍ନାମଲାଇ ମଧ୍ୟ ଦାବି କରିଛନ୍ତି ଯେ, ‘ଡିଏମ୍‌କେ’ର ପୂର୍ବ ପାଳି ଶାସନ ସମୟରେ ‌ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ୍‌ରେ ଦୁର୍ନୀତି ହୋଇଥିବାର ପ୍ରମାଣ ଅଛି। ଆମେ ତାହାକୁ ‘ସିବିଆଇ’ରେ ଦାଖଲ କରିବୁ।
‘ଲିଗାଲ୍‌ ନୋଟିସ୍‌’ ଜାରି କରିଥିବା ‘ଡିଏମ୍‌କେ’ ସଙ୍ଗଠନ ସମ୍ପାଦକ ଆର୍‌. ଏସ୍‌. ଭାରତୀଙ୍କୁ ସମାଲୋଚନା କରି ଅନ୍ନାମଲାଇ କହିଛନ୍ତି, ଏହି ଦୁର୍ନୀତିରେ ଜଡ଼ିତ ଥିବା ଆପଣଙ୍କ ଦଳର ଅଧ୍ୟକ୍ଷ ଏବଂ ଅନ୍ୟମାନଙ୍କ ନାଁରେ ‘ସିବିଆଇ’ ସମନ୍‌ ଯିବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ।
ସୂଚନାଯୋଗ୍ୟ, ‘ଡିଏମ୍‌କେ ଫାଇଲ୍‌ସ୍’ ନାଁରେ ଅନ୍ନାମଲାଇ ଷ୍ଟାଲିନ୍‌ ଓ ଦଳର ଅନ୍ୟ ନେତାମାନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଉଠାଇବା ପରେ ଏପ୍ରିଲ୍‌ ୧୫ ତାରିଖ ଦିନ ଜାରି କରାଯାଇଥିବା ଉକ୍ତ ‘ଲିଗାଲ୍‌ ନୋଟିସ୍‌’ରେ ଭାରତୀ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଉକ୍ତ ଅଭିଯୋଗ ସବୁ ମିଥ୍ୟା, ଭିତ୍ତିହୀନ, ମାନହାନିମୂଳକ, କାଳ୍ପନିକ ଓ କେଳେଙ୍କାରୀଯୁକ୍ତ। ୫୬ ବର୍ଷର ରାଜନୈତିକ ଜୀବନରେ ‘ଡିଏମ୍‌କେ’ ଅଧ୍ୟକ୍ଷ କାହାରି ଠାରୁ ପଇସାଟିଏ ବି ନେଇ ନାହାନ୍ତି। ତେଣୁ, ଏହି ନୋଟିସ୍‌ ପାଇବାର ୪୮ ଘଣ୍ଟା ମଧ୍ୟରେ ଅନ୍ନାମଲାଇ ସର୍ବସାଧାରଣରେ ନିଃସର୍ତ୍ତ କ୍ଷମାଭିକ୍ଷା କରନ୍ତୁ।
ଏହା ବ୍ୟତିରେକେ, ଏଭଳି ଦୁର୍ନୀତି ଅଭିଯୋଗ ଉଠାଇବା ଯୋଗୁଁ ହୋଇଥିବା କ୍ଷତି ଭରଣା କରିବାକୁ ସେ ଅନ୍ନାମଲାଇଙ୍କଠାରୁ ୫୦୦ କୋଟି ଟଙ୍କା ଦାବି କରିଛନ୍ତି।

ad-week
Leave A Reply

Your email address will not be published.