ଖୋର୍ଦ୍ଧାରେ ‘କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

add-all

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗର ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାାଳୟ କୋଠାରେ କୃତ୍ରିମ ଅଙ୍ଗ (ଜୟପୁର ଫୁଟ୍‌) ନିର୍ମାଣ କେନ୍ଦ୍ର ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହାର ଉଦଘାଟନ କରିଛନ୍ତି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ରକୁ ବୁଲି ଦେଖିଛନ୍ତି। ରୋଗୀମାନଙ୍କ ସହିତ କଥା ହୋଇଛନ୍ତି। ଉଦ୍‌ଘାଟନୀ ଅବସରରେ ବିଜୁ-ମହାବୀର ଜୟପୁର ଫୁଟ୍‌ ସେଣ୍ଟରର ପ୍ରତିଷ୍ଠାତା ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଡଃ. ଡି ଆର୍ ମେହେଟା ଯୋଗ ଦେଇଥିଲେ।

ସମାରୋହରେ ଶ୍ରବଣଯନ୍ତ୍ର, ତିନିଚକିଆ ସାଇକଲ ଆଦି ବଣ୍ଟନ କରାଯାଇଥିଲା। ପ୍ରାୟ ୩୫ ମିନିଟିଆ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଓ ଅନ୍ୟ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ୧୯୪୧ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଦୁଇ ବର୍ଷ ପୂର୍ବେ ସ୍କୁଲ ମିଶ୍ରଣ କାର୍ଯ୍ୟକ୍ରମରେ ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟ ସହ ସମିଶ୍ରଣ କରାଯାଇଥିଲା। ଏହାପରେ ପ୍ରାୟ ୮ ହଜାର ବର୍ଗଫୁଟ ଅଞ୍ଚଳର ଏହି ବିଦ୍ୟାଳୟ କୋଠାଟି ଅବ୍ୟବହୃତ ହୋଇ ପଡ଼ି ରହିଥିଲା। ୧ ବର୍ଷ ପୂର୍ବେ ଏଠାରେ ଜୟପୁର ଫୁଟ ନିର୍ମାଣ ପାଇଁ ପ୍ରସ୍ତାବ ରାଜ୍ୟ ସରକାର ଅନୁମୋଦନ କରିବା ସହ ଏହାର ନବୀକରଣ ଓ ମରାମତି ପାଇଁ ପ୍ରାୟ ୪୦ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ।

ad-week
Leave A Reply

Your email address will not be published.