କୋର୍ଟ ପରିସରରେ ମହିଳାଙ୍କ ଉପରକୁ ଗୁଳିମାଡ଼…

add-all

ନୂଆଦିଲ୍ଲୀ : ଲୋକ ଗହଳି ମଧ୍ୟରେ ମହିଳାଙ୍କ ଉପରକୁ ହେଲା ଗୁଳି ମାଡ଼ । ଅଭିଯୁକ୍ତଜଣକ ଓକିଲ ୟୁନିଫର୍ମରେ ଥିବା ବେଳେ ମହିଳାଙ୍କ ସାମନାକୁ ଯାଇ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ମାଡ଼ର ଶିକାର ମହିଳାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅଭିଯୁକ୍ତଜଣକ ଖସି ଯାଇଛନ୍ତି।
ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ରାଜଧାନୀ ଦିଲ୍ଲୀର ସାକେତ କୋର୍ଟ ପରିସରରେ ଘଟିଛି। ଆକ୍ରମଣକାରୀଜଣକ ଓକିଲ କାମେଶ୍ୱର ପ୍ରସାଦ ସିଂ ବୋଲି ଚିହ୍ନଟ ହୋଇଛନ୍ତି। କାମେଶ୍ୱର ପ୍ରସାଦ ସିଂ ବିଭିନ୍ନ ଗଣ୍ଡଗୋଳ ମାମଲାରେ ସାମିଲ ଥିବାରୁ ତାଙ୍କ ଲାଇସେନ୍ସ ରଦ୍ଦ ହୋଇ ଯାଇଥିବା ଜଣାଯାଇଛି।
ସାକେତ କୋର୍ଟ ବାର ଆସୋସିଏସନ ସଭାପତି ବିନୋଦ ଶର୍ମାଙ୍କ କହିବାନୁଯାୟୀ, କାମେଶ୍ୱର ପ୍ରସାଦ ସିଂ ସାକେତ କୋର୍ଟରେ ଓକିଲ ଭାବେ କାର୍ଯ୍ୟରତ ଥିବା ବେଳେ ରାଜେନ୍ଦ୍ର ଝାଙ୍କ ମହକିଲ ଥିବା ସମ୍ପୃକ୍ତ ମହିଳାଙ୍କ ସହ ଚିହ୍ନା ପରିଚୟ ହୋଇଥିଲା। ଏହାପରେ ସେ ତାଙ୍କୁ ୨୫ ଲକ୍ଷ ଟଙ୍କା ଋଣ ଆକାରରେ ଦେଇଥିଲେ। ମାତ୍ର ଟଙ୍କା ମାଗିବାରୁ ମହିଳାଜଣକ ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ। ଏନେଇ ଥାନାରେ ମାମଲା ବି ହୋଇଥିବା ବେଳେ କୋର୍ଟରେ କେସ୍‌ ଚାଲିଥିଲା।
ଆଜି ମହିଳାଜଣକ କୋର୍ଟକୁ ଆସିଥିବା ବେଳେ କାମେଶ୍ୱର ପ୍ରସାଦ ସିଂ ମଧ୍ୟ କୋର୍ଟରେ ପହଞ୍ଚିଥିଲେ। ସେଠାରେ ସେ ମହିଳାଙ୍କ ଉପରକୁ ୪ ରାଉଣ୍ଡ ଫାୟାରିଂ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ୪ ରାଉଣ୍ଡ ଗୁଳି ମଧ୍ୟରୁ ଗୋଟିଏ ମହିଳାଙ୍କ ପେଟରେ ଓ ଅନ୍ୟ ୩ ଟି ଶରୀରର ଅନ୍ୟ ସ୍ଥାନରେ ଲାଗିଛି।
ମହିଳାଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଅଭିଯୁକ୍ତଜଣକ ତୁରନ୍ତ ସେଠାରୁ ଖସି ପଳାଇଥିଲେ । ମହିଳାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଥିବା ବେଳେ ତାଙ୍କ ପତ୍ତା ମିଳି ପାରିନି।
ସାକେତ କୋର୍ଟରେ କଡ଼ା ଯାଞ୍ଚ ବ୍ୟବସ୍ଥା ସତ୍ତ୍ୱେ ଏପରି କିପରି ଘଟିଲା ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସାକେତ କୋର୍ଟ ପରିସରରେ ସଶସ୍ତ୍ର ପୁଲିସ୍‌ ବାହିନୀ ଜଗି ରହୁଥିବା ବେଳେ ମେଟାଲ ଡିଟେକ୍ଟରରେ ବି ଯାଞ୍ଚ ହେଉଛି। ଏହାବାଦ କିପରି ଜଣେ ବ୍ୟକ୍ତି ବନ୍ଧୁକ ଧରି କୋର୍ଟ ପରିସରକୁ ପ୍ରବେଶ କରିପାରିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଏନେଇ ଟ୍ୱିଟ କରି ସେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି । କେଜ୍ରିୱାଲ ଲେଖିଛନ୍ତି, ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଅନ୍ୟ କାମରେ ଅଯଥା ହସ୍ତକ୍ଷେପ ସହ ସବୁ କ୍ଷେତ୍ରରେ ନିମ୍ନମାନର ରାଜନୀତି କରିବା ପରିବର୍ତ୍ତେ ସମସ୍ତେ ନିଜ କାମରେ ଧ୍ୟାନ ଦେବା ଉଚିତ।ଏହାବାଦ ନିଜ କାମ କରି ନ ପାରୁଥିବା ବ୍ୟକ୍ତି ନିଜ ପଦରୁ ଇସ୍ତଫା ଦେଇଦେବା ଉଚିତ । ଏହାଦ୍ୱାରା ଅନ୍ୟ କେହି ଯୋଗ୍ୟ ବ୍ୟକ୍ତି ଉକ୍ତ କାମକୁ ସୁରୁଖୁରୁରେ କରି ପାରିବ । ଆମେ ଭାରବାନଙ୍କ ଭରସାରେ ଲୋକଙ୍କ ସୁରକ୍ଷାକୁ ଛାଡ଼ି ପାରିବୁ ନାହିଁ।
ପୂର୍ବରୁ ବିଭିନ୍ନ ମାମଲାରେ ଜଡ଼ିତ ଥିବା କାମେଶ୍ୱର ପ୍ରସାଦ ସିଂଙ୍କ ଲାଇସେନ୍ସକୁ ବାର୍‌ କାଉନସିଲ ଦିଲ୍ଲୀ ରଦ୍ଦ କରି ସାରିଥିବା ବେଳେ ସାକେତ କୋର୍ଟରେ ତାଙ୍କ ମେମ୍ବରସିପ୍‌ ବି ନ ଥିବା କହିଛନ୍ତି ବିନୋଦ ଶର୍ମା ।

ad-week
Leave A Reply

Your email address will not be published.