
ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସୁଦାନରେ ସଂଘର୍ଷଜନିତ ସଙ୍କଟ ଚାଲିଥିବା ବେଳେ ତା’ର ରାଜଧାନୀ ନଗରୀ ଖାର୍ତୌମ୍ରେ ଫସି ରହିଥିବା ହଜାର ହଜାର ଭାରତୀୟଙ୍କ ବିଷୟରେ ଆଲୋଚନା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ସମ୍ପ୍ରତି ସଙ୍କଟ-ପ୍ରପୀଡ଼ିତ ସୁଦାନରେ ପ୍ରାୟ ୪,୦୦୦ ଭାରତୀୟ ଫସି ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ସୁଦାନରେ ଥିବା ଭାରତୀୟମାନଙ୍କ ଅବସ୍ଥା ସଂକ୍ରାନ୍ତରେ ପର୍ଯ୍ୟାଲୋଚନା କରାଯିବ।
ଉଲ୍ଲେଖଯୋଗ୍ୟ, ସପ୍ତାହେ ହେବ ସୁଦାନରେ ଦେଶର ସେନା ଓ ପାରାମିଲିଟାରି ଗ୍ରୁପ୍ ମଧ୍ୟରେ ଭୟାବହ ଲଢ଼େଇ ଚାଲିଛି। ଏଥିଯୋଗୁଁ ପ୍ରାୟ ୩୦୦ ଲୋକଙ୍କର ପ୍ରାଣହାନି ଘଟିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ନିର୍ବିଚାର ଭାବେ ଗୁଳି ଚାଳନା ହେଉଥିବାରୁ ସେଠାରେ ଥିବା ଭାରତୀୟମାନେ ବି ଖାଦ୍ୟ, ପାଣି, ଔଷଧ ଓ ବିଦ୍ୟୁତ୍ ସଙ୍କଟରେ ସମ୍ମୁଖୀନ ହେଉଛନ୍ତି।
ଆଜିକୁ ମିଶାଇ ସୁଦାନ ସଂଘର୍ଷ ୭ ଦିନରେ ପହଞ୍ଚିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ସୁଦାନରେ ଫସି ରହିଥିବା ଭାରତୀୟମାନଙ୍କ ସହିତ ସରକାର ଯୋଗାଯୋଗ ରଖିଛନ୍ତି।
ଭାରତୀୟମାନଙ୍କ ସମ୍ଭାବ୍ୟ ସ୍ଥାନାନ୍ତରଣ ନିମନ୍ତେ ସରକାର ବିଶେଷକରି, ଆମେରିକା, ଇଂଲଣ୍ଡ୍, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟସ୍ ସହିତ କାର୍ଯ୍ୟ ଚଳାଇଛନ୍ତି।